୪୦ ଡ଼ିଗ୍ରୀ ତାପମାତ୍ରାରେ ସେଓ ଚାଷ। କମ୍ ଖର୍ଚ୍ଚରେ ମିଳୁଛି ଅଧିକ ଲାଭ। କୋରାପୁଟର ସଫଳ ଚାଷୀ ୨ ଭାଇଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

3,430

କନକ ବ୍ୟୁରୋ: ୪୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସେଓ ଚାଷ ହୋଇପାରିବ । ଖାଲି ଇଚ୍ଛା ଶକ୍ତି ଥିବା ଦରକାର । ୧୦ଟି ଗଛରୁ ୫୦ ରୁ ୬୦ କେଜି ସେଓ ଅଦାୟ କରି ଜିଲ୍ଳା ତଥା ରାଜ୍ୟରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୋରାପୁଟ ଜିଲ୍ଳା ଲକ୍ଷ୍ମିପୁର ବ୍ଳକର ୨ ଭାଇ ସରତ ସାହୁ ଓ ଗୋବିନ୍ଦ ସାହୁ ।

 

ଚାଷ କାମ ଯାହାର କି ଆନନ୍ଦ ତାହାର, ଏହି ବାକ୍ୟର ଯଥାର୍ଥତାକୁ ବାସ୍ତବରେ ପରିଣତ କରିଛନ୍ତି କୋରାପୁଟ ଲକ୍ଷ୍ମୀପୁରର ଦୁଇ ଭାଇ ସରତ ସାହୁ ଓ ଗୋବିନ୍ଦ ସାହୁ । ଖରାଦିନେ ସେଓ ଚାଷ କରି ବେଶ ଲାଭବାନ ହେବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି । ୪୦ ଡ଼ିଗ୍ରୀ ତାପମାତ୍ରାରେ, ଯେଉଁଠି ପାରମ୍ପାରିକ ଚାଷ ମଧ୍ୟ ଠିକ୍ ଭାବେ ହୁଏ ନାହିଁ ସେଠି ସେଓ ଚାଷ କରି ସଫଳତା ପାଇଛନ୍ତି ଏହି ଦୁଇ ଭାଇ । ୧୦ଟି ଗଛରୁ ୫୦ରୁ ୬୦ କେଜି ସେଓ ଅମଳ କରି ଖୁବ୍ ଲାଭବାନ ହୋଇ ପାରିଛନ୍ତି ଏହି ସଫଳ ଚାଷୀ । ବଜାରରେ ମିଳୁଥିବା ସେଓଠାରୁ ଏହି ସେଓ ସୁଆଦିଆ ଓ ଗୁଣାତ୍ମକ ।

 

୨୦୦୨ ମସିହାରେ ନିଜସ୍ୱ ଖର୍ଚ୍ଚରେ ୨ଟି ଚାରାରୁ ଆରମ୍ଭ ହୋଇଥିବା ଚାଷ ଏବେ ୧୨ଟି ଗଛରେ ପରିଣତ ହୋଇଛି । ବର୍ଷକୁ ୨ ଥର ଜୁନ ଏବଂ ଡ଼ିସେମ୍ବର ମାସରେ ଆଦାୟ ହେଉଛି ସେଓ । କେବଳ ସେଓ ନୁହେଁ ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଚାଷ କରିଛନ୍ତି ଶରତ ଓ ଗୋବିନ୍ଦ । ସବୁଜିମାଭରା ଏହି ଦୃଶ୍ୟ ଭିତରେ ରହିଛି ୨ ଭାଇଙ୍କର ୨୦ ବର୍ଷର ପରିଶ୍ରମ । ଏହି ସଫଳ ଚାଷୀଙ୍କ ଫସଲ କ୍ଷେତକୁ ଦେଖି ଜିଲ୍ଲା ତଥା ରାଜ୍ୟର ଚାଷୀକୁଳ ବେଶ ଆନନ୍ଦିତ ହୋଇଥାନ୍ତି । ଏବଂ ଏଭଳି ଉଦ୍ୟମ ପାଇଁ ଦୁଇ ଭାଇଙ୍କ ପାଇଁ ଛୁଟୁଛି ପ୍ରଶଂସାର ସୁଅ । ତେବେ ଦୁଇ ଭାଇଙ୍କ ଫାର୍ମରେ ସେଓ ବ୍ୟତିତ ଅଙ୍ଗୁର, ଆମ୍ବ, ପଣସ, ଡ଼ାଳିମ୍ବ, କଦଳୀ, ବିଭିନ୍ନ ପ୍ରକାର ଫୁଲ, ଧାନ, ଓ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । ଏହାସହ ସ୍ଥାନୀୟ ଅଂଚଳର କିଛି ଶ୍ରମିକଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି ।