କନକ ବ୍ୟୁରୋ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଗୁରୁବାର ଦିନ ଆପଲ କମ୍ପାନୀକୁ ଏକ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହା ରାଜ୍ୟ ପ୍ରାୟୋଜିତ ବୋଲି କଣ ପ୍ରମାଣ ଅଛି ତାହା ଦାଖଲ କର । କହିରଖୁ କି ବିରୋଧୀ ନେତାଙ୍କ ଆଇଫୋନକୁ ଏକ ମେସେଜ ଆସିଥିଲା । ଏହି ମେସେଜ ଆପଲ କମ୍ପାନୀ ତରଫରୁ କରାଯାଇଥିଲା । ଏଥିରେ ଉଲ୍ଲେଖ ଥିଲା କି ଆପଣଙ୍କ ଫୋନ ହ୍ୟାକ କରିବାକୁ ଚେଷ୍ଟା କରାଯାଉଛି ଓ ଏହା ଏକ ରାଜ୍ୟ ପ୍ରାୟୋଜିତ ବୋଲି ମେସେଜରେ ଉଲ୍ଲେଖ ଥିଲା । ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇପଡିଥିଲା ।

Advertisment

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୂଚନା ଓ ପ୍ରଜ୍ୟୁକ୍ତି ସଚିବ ଏସ କୃଷ୍ଣାନ ଗୁରୁବାର ଦିନ ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ କି ଏହି ମାମଲାର ଯାଂଚ ସିଇଆରଟି କରୁଛି । ଏହାସହ ଏହି ମାମଲାରେ ଆପଲ କମ୍ପାନୀକୁ ନୋଟିସ କରାଯାଇଛି । ଆଇଟି ସଚିବ ଆଶା କରିଛନ୍ତି କି ଆପଲ ତରଫରୁ ସିଇଆରଟି କରୁଥିବା ଯାଂଚରେ ପୂର୍ଣ୍ଣ ସହଯୋଗ କରାଯିବ ।

ଏଭଳି ମେସେଜ ଆସିବା ପରେ ବିରୋଧୀଦଳଗୁଡିକ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଥିଲେ । ବିରୋଧୀ ଅଭିଯୋଗ ଆଣିବା ମାତ୍ରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ତୁରନ୍ତ ପ୍ରତିକ୍ରିୟା ଦେଇଥିଲେ । ଏଥିରେ ସେ କହିଥିଲେ କି ଏଭଳି ନୋଟିସ ଆପଲ ତରଫରୁ ୧୫୦ ଦେଶକୁ ପଠାଯାଇଛି । ହେଲେ ସେ କହିନଥିଲେ କି ଆପଲ ତରଫରୁ ୧୫୦ ଦେଶକୁ ଗତ ୨ବର୍ଷ ତଳେ ନୋଟିସ କରାଯାଇଥିଲା । ବିଭାଗୀୟ ମନ୍ତ୍ରୀ ବିରୋଧୀଙ୍କ ଅଭିଯୋଗକୁ ଖାରଜ କରିଥିଲେ । ସେ କହିଥିଲେ କି, ସରକାର ବିରୋଧୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହକାରେ ନେଇଛି ।