କନକ ବ୍ୟୁରୋ: ସେ ଅସହାୟଙ୍କ ମସିହା । ଗରିବ, ଦୀନ ଦୁଃଖୀଙ୍କୁ ଦେଖିବା କ୍ଷଣି ବଢାଇ ଦିଅନ୍ତି ସାହାଯ୍ୟର ହାତ । ଶବ ଦାହ ପାଇଁ କାଠ ଯୋଗାଇ ହେଉ କି ପର୍ବ ପର୍ବାଣୀରେ ନୂତନ ବସ୍ତ୍ର ବାଣ୍ଟିବା ହେଉ । ସବୁ କ୍ଷେତ୍ରରେ ସବୁ ବେଳେ ଆଗରେ ରହିଥାନ୍ତି । ସେଇଥିପାଇଁ ତ ତାଙ୍କୁ ରାୟଗଡାର ଅସହାୟଙ୍କ ମସିହା ବୋଲି କୁହାଯାଏ ।

  • ଶେଷ ବେଳର ସାଥି
  • ଶବକୁ କାଠ ଯୋଗାଉଥିବା ମଣିଷ
  • ଅସହାୟଙ୍କ ମସିହା ଆପଲାସ୍ୱାମୀ କାଡ୍ରାକା

କିଛି ପାଇବାର ଆଶା ନାହିଁ, କି ହରେଇବାର ଦୁଃଖ । କେବଳ ନିଶ୍ୱାର୍ଥପର ସେବା କରିବାର ଲକ୍ଷ୍ୟ । ଦୁଃଖୀରଙ୍କିଙ୍କୁ ସହଯୋଗର ହାତ ବଢ଼ାଇବାର ଉଦ୍ଦେଶ୍ୟ । ଜଣେ ସେତିକି ଉଦାର ହୃଦୟର ବ୍ୟକ୍ତି ନହେଲେ, ଏମିତି କାମ କରିବା ସହଜ ନୁହେଁ । ୫ ବର୍ଷ ହେବ ଶବ ପାଇଁ କାଠ ଯୋଗାଇବା ସହ ପୂଜାପାର୍ବଣରେ ଗରିବ ଲୋକଙ୍କୁ ନୂଆ ବସ୍ତ୍ର ଯୋଗାଇ ଆତ୍ମସନ୍ତୋଷ ପାଉଛନ୍ତି ରାୟଗଡାର ଆପଲାସ୍ୱାମୀ କାଡ୍ରାକା ।

୨୦୧୯ କରୋନା ସମୟରେ ଜଣେ ମୃତ ବ୍ୟକ୍ତିଙ୍କ ଶବଦାହ ପାଇଁ ପରିବାର ଲୋକେ ସାରା ସହର କାଠ ଖୋଜି ପାଇନଥିଲେ । ସେତେବେଳର ସେହି ସ୍ଥିତି ଆପଲାସ୍ୱାମୀଙ୍କୁ ବ୍ୟଥିତ୍ କରିଥିଲା । ପରବର୍ତ୍ତୀ ସମୟରେ ଶବଦାହ ପାଇଁ ସମସ୍ତ ବନ୍ଦୋବସ୍ତ କରିବା ଉଦେଶ୍ୟରେ ସାଙ୍ଗମାନଙ୍କୁ ନେଇ ଏକ ସଂଘ କରିଛନ୍ତି । ସବୁ ରବିବାରରେ ନିକଟସ୍ଥ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରୁଛନ୍ତି । ଗରିବ ଲୋକଙ୍କ ଶବ ଦାହ ପାଇଁ ବିନା ମୂଲ୍ୟରେ ମଶାଣି ପାଖରେ କାଠ ପହଞ୍ଚାଇ ଆସୁଛନ୍ତି ।

ରାୟଗଡା ସହର ଆମ୍ବଗୁଡା ଅଞ୍ଚଳର ଯୁବକ ଆପଲାସ୍ୱାମୀ, ଜଣେ ପରୋପକାରୀ ମଣିଷ ଭାବେ ସାରା ସହରରେ ପରିଚିତ । ଖରା ହେଉ କି ବର୍ଷା, ରାତି ହେଉ କି ଦିନ, ସବୁବେଳେ ଲୋକଙ୍କ ସେବା ପାଇଁ ତତ୍ପର ଥାନ୍ତି ଆପଲାସ୍ୱାମୀ ଓ ତାଙ୍କ ଟିମ ।