କାମ ଦେଉନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନୂଆ ସ୍ମାର୍ଟ କାର୍ଡ । କାର୍ଡ ଧରି ଆସିଥିବା ରୋଗୀଙ୍କୁ ଚିକିତ୍ସା ନକରି ଫେରାଇଦେଲା ଆପୋଲୋ ହସ୍ପିଟାଲ ।

255

କନକ ବ୍ୟୁରୋ : ଘରୋଇ ଡାକ୍ତରଖାନାରେ କାମ ଦେଲାନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ନୂଆ ସ୍ମାର୍ଟ କାର୍ଡ । କାର୍ଡ ଧରି ଆସିଥିବା ରୋଗୀଙ୍କୁ ଚିକିତ୍ସା ସେବା ନଦେଇ ଫେରାଇ ଦେଇଛି ଆପୋଲୋ ହସ୍ପିଟାଲ । ସୁନ୍ଦରଗଡ଼ରୁ ଆସିଛି ଏପରି ଅଭିଯୋଗ । ଏବେ ପ୍ରଶ୍ନ, ନିୟମ ଭାଙ୍ଗୁଥିବା ଘରୋଇ ହସ୍ପିଟାଲ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇବ କି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ଥାଇ ମଧ୍ୟ ଘରୋଇ ଡାକ୍ତରଖାନାରେ ହନ୍ତସନ୍ତ ହୋଇଛନ୍ତି ହିତାଧିକାରୀ । ସ୍ତନ କର୍କଟରେ ପୀଡିତ ସୁନ୍ଦରଗଡ ଜିଲ୍ଲା କୁଚେଡେଗା ପଞ୍ଚାୟତ ପଣ୍ଡିଆପାଲିର ଚନ୍ଦ୍ରକାନ୍ତି । ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ୍ କାର୍ଡ ପାଇବା ପରେ ଚିକିତ୍ସା ପାଇଁ ଆସିଥିଲେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ । କିନ୍ତୁ କାର୍ଡ ଦେଖି ଡାକ୍ତର କହିଥିଲେ ଟଙ୍କା ନଦେଲେ ପରୀକ୍ଷା ହେବ ନାହିଁ । ବାଧ୍ୟ ହୋଇ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପରୀକ୍ଷା କରି ଘରକୁ ଫେରିଛନ୍ତି ଚନ୍ଦ୍ରକାନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆପୋଲୋ କର୍ତ୍ତୃପକ୍ଷଙ୍କୁ ଏକ ପତ୍ର ଲେଖି ଚନ୍ଦ୍ରକାନ୍ତିଙ୍କୁ ଚିକିତ୍ସା ପାଇଁ ରେଫର କରିଥିଲେ । କିନ୍ତୁ ଟଙ୍କା ଦେଇ ଚିକିତ୍ସିତ ହେବା ଘଟଣାକୁ ନେଇ ସେ କହିଛନ୍ତି ସମନ୍ୱୟ ଅଭାବରୁ ଏପରି ହୋଇଛି, ଆଗକୁ ଚନ୍ଦ୍ରକାନ୍ତି ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇବେ । ଅନ୍ୟପଟେ ସ୍ମାର୍ଟକାର୍ଡ ବଣ୍ଟନକୁ ପ୍ରହସନ କହି ସରକାରଙ୍କୁ ସମାଲୋଚନା କରିଛି ବିଜେପି ।

ନୂଆ ସ୍ମାର୍ଟ ହେଲଥ କାର୍ଡ ଜରିଆରେ ସିଧାସଳଖ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ମିଳିବ ବୋଲି କହିଥିଲେ ସରକାର । ଏପରିକି କେହି ଯେପରି ସମସ୍ୟାରେ ପଡିବେନି ପ୍ରତି ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ମିତ୍ର ନିଯୁକ୍ତ ହୋଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ସ୍ମାର୍ଟ କାର୍ଡ ଥିବା ସତ୍ତେ୍ୱ ସରକାରଙ୍କ ସହ ଅନୁବନ୍ଧିତ ଡାକ୍ତରଖାନା ମାଗଣା ଚିକିତ୍ସା କରିବାକୁ ମନା କରୁଛନ୍ତି କାହିଁକି? ହସ୍ପିଟାଲ୍ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଥିଲେ ବି କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ସରକାର ?