କନକ ବ୍ୟୁରୋ: ରାଜଧାନୀର ଆପାର୍ଟମେଂଟ ଅସୁରକ୍ଷିତ ହୋଇପଡିଛି । ବିଶେଷ କରି ପୂଜା ସମୟରୁ ଆରମ୍ଭ ହୋଇଥିବା ଏହି ଲୁଟପାଟ ଉପରେ ଅଙ୍କୁଶ ଲଗାଇ ପାରିନି କମିସନରେଟ ପୋଲିସ । ଲୁଟେରାଙ୍କ ଟାର୍ଗେଟରେ ଏବେ ଆପାର୍ଟମେଂଟ ରହିଛି । ବଡ କଥା ହେଉଛି, ଲୁଟ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ ପୋଲିସ ଧରିପାରୁନାହିଁ । ସେପଟେ କମିସନରେଟ ପୋଲିସ ସବୁ ଆପାର୍ଟମେଂଟକୁ ସୁରକ୍ଷା ଯୋଗାଇ ଦେଇ ହେବ ନାହିଁ କହି ହାତ ଟେକି ଦେଇଛନ୍ତି । ଯାହାକୁ ନେଇ ଏବେ ଆପାର୍ଟମେଂଟବାସୀ ଚିନ୍ତାରେ ଅଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ମାତିଛନ୍ତି ଲୁଟେରା । ସୁଯୋଗ ପାଇଲେ ଘରେ ପଶି ଟଙ୍କା ସୁନା ଗହଣା ଲୁଟି ନେଉଛନ୍ତି । ବଡ କଥା ହେଉଛି, ଲୋକେ ସୁରକ୍ଷିତ ବୋଲି ଭାବୁଥିବା ଆପାର୍ଟମେଂଟ ଏବେ ଲୁଟେରା ଟାର୍ଗେଟ୍ରେ । ଗତ ୨୫ ଦିନରେ ରାଜଧାନୀର ପାଖାପାଖି ୧୨ ଆପାର୍ଟମେଂଟ ସହ ୩୧ ଘରେ କଳାକନା ବୁଲାଇ ସାରିଲେଣି ଲୁଟେରା । ତମାଣ୍ଡୋ. ଚନ୍ଦକା, ଇନଫୋସିଟି, ଭରତପୁର ଅଂଚଳର ଆପାର୍ଟମେଂଟ ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଛି । ଲୁଟ ପରେ ପୋଲିସ ମାମଲା ରୁଜୁ କରୁଛି, କିନ୍ତୁ ଚୋର ଧରାପଡୁ ନାହାନ୍ତି । ଉଦବେଗର ବିଷୟ ସବୁ ଲୁଟର କାରନାମା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ କିନ୍ତୁ ଲୁଟେରାଙ୍କ ପାଖରେ ପହଂଚି ପାରୁନାହିଁ । ସେପଟେ ପୋଲିସ କମିଶନର ସଫା ସଫା କହିଛନ୍ତି, ରାଜଧାନୀରେ ଆପାର୍ଟମେଂଟ ସଂଖ୍ୟା ବଢୁଛି ।
ତେଣୁ
ସବୁ ଆପାର୍ଟମେଟଂକୁ ଜଗିବା ପୋଲିସ ପକ୍ଷେ ସମ୍ଭବ ନୁହେଁ
ଆପାର୍ଟମେଂଟବାସୀ ନିଜ ସୁରକ୍ଷା ବ୍ୟବସ୍ଥା ନିଜେ କରନ୍ତୁ
ସୁରକ୍ଷା ପାଇଁ ଆପାର୍ଟମେଂଟରେ ଉଚ୍ଚ ପାଚେରୀ କରିବା ଦରକାର
ଘରୋଇ ସିକ୍ୟୁରିଟି ରଖିବା ଆବଶ୍ୟକ
ପୋଲିସ କହିବା ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ଜରୁରୀ
ଗୋଟିଏ ପରେ ଗୋଟିଏ ଆପାର୍ଟମେଂଟରୁ ଲୁଟ ଘଟଣା ଆପାର୍ଟମେଂଟବାସୀଙ୍କ ଚିନ୍ତା ବଢାଇ ଦେଇଛି । ଅଳ୍ପ ସମୟ ପାଇଁ ଘରୁ ଗୋଡ କାଢିଲେ ଫେରିବା ବେଳକୁ ସବୁ ଠିକ ଥିବ କି ନାହିଁ ତାହା ସନ୍ଦେହ ରହୁଛି । ଏପରିକି ଲୁଟେରାଙ୍କ ଟାର୍ଗେଟରୁ ପୂର୍ବତନ ଅଗ୍ନିଶମ କର୍ମଚାରୀ, ପୂର୍ବତନ ପୋଲିସ କର୍ମଚାରୀଙ୍କ ଘର ମଧ୍ୟ ବାଦ ପଡିନାହିଁ । ଇନଫୋସିଟି ଥାନା ରାଜବାଟିକା ଆପାର୍ଟମେଂଟରୁ ଗତ ମାସେ ତଳେ ୪ଟି ଫ୍ଲାଟରୁ ଚୋରି ହୋଇଥିଲା । ଏବେ ସମାନ ଢଙ୍ଗରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଂଟରେ ପଶି ଜଣେ ଚାଟାର୍ଡ ଆକାଉଂଟାଂଟଙ୍କ ଘରୁ ପ୍ରାୟ ୧୦୦ ଭରି ସୁନା ଗହଣା ଲୁଟ ଘଟଣା ସାରା ରାଜ୍ୟରେ ଚାଚଂଲ୍ୟ ଖେଳାଇ ଦେଇଥିଲା । ଲୁଟେରାଙ୍କ କାରନାମା ସିସିଟିଭିରେ କଏଦ ଅଛି, ହେଲେ ଲୁଟେରା କୁଆଡେ ଗଲେ ତାର ପତା ମିଳିଲା ନାହିଁ ।
ରାଜଧାନୀରେ ପାଖାପାଖି ୫୨୦ଟି ଆପାର୍ଟମେଂଟରେ ୧ ଲକ୍ଷ ୯୦ ହଜାର ଫ୍ଲାଟ ରହିଛି । ଯେଉଁଠି ରାଜଧାନୀର ୪୦ ପ୍ରତିଶତ ଲୋକ ରହୁଛନ୍ତି । ତେବେ ପୋଲିସ କମିଶନରଙ୍କ ବୟାନ ପରେ ଆପାର୍ଟମେଂଟରେ ରହୁଥିବା ଲୋକେ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ।