କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଖାସକରି ମୁଲାୟମଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ସାମିଲ ହେବା ପରେ ଏବେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି । ଆଉ ଏସବୁ ଭିତରେ ଉତ୍ତରପ୍ରଦେଶ ରାଜନୀତିକୁ ଆହୁରି ଉଷ୍ମ କରିଛି ଅପର୍ଣ୍ଣା ଯାଦବଙ୍କୁ ନେଇ ହେଉଥିବା ଚର୍ଚ୍ଚା । କୁହାଯାଉଛି ଅପର୍ଣ୍ଣା ଯାଦବଙ୍କୁ କରହଲ ବିଧାନସଭା ଆସନରୁ ଟିକେଟ ଦେଇପାରେ ବିଜେପି । ଆଉ ଯଦି ଏଭଳି ହୁଏ ତେବେ ଏହି ଆସନରେ ଏକ ମହାଲଢେଇ ଦେଖିବାକୁ ମିଳିପାରେ । କାରଣ କରହଲ ଆସନରୁ ପ୍ରାର୍ଥୀ ହେଉଛନ୍ତି ଅପର୍ଣ୍ଣାଙ୍କ ଦେଢଶୁର ତଥା ସମାଜବାଦୀ ଦଳର ମୁଖ୍ୟ ଅଖିଳେଶ ଯାଦବ । ଏହାଛଡା ଅପର୍ଣ୍ଣା ବିଜେପିରେ ମିଶିବା ସହ ସ୍ପଷ୍ଟ କରିଥିଲେ ଯେ, ଦଳ ଯାହା ନିଷ୍ପତ୍ତି ନେବ ସେ ତାକୁ ଗ୍ରହଣ କରିବେ । ଆଉ ଚର୍ଚ୍ଚା ହେଉଛି ଅପର୍ଣ୍ଣାଙ୍କୁ ବିଜେପି କରହଲରୁ ହିଁ ଅଖିଳେଶଙ୍କ ବିରୋଧରେ ମୈଦାନକୁ ଓହ୍ଲାଇପାରେ ।

Advertisment

ଉତ୍ତରପ୍ରଦେଶରେ ଏବେ ଦଳବଦଳ ରାଜନୀତି ଜୋର ଧରିଛି । କେତେବେଳେ ବିଜେପି ନେତା ସମାଜବାଦୀ ପାର୍ଟିରେ ସାମିଲ ହେଉଛନ୍ତି ତ ପୁଣି କେତେବେଳେ ସମାଜବାଦୀ ଦଳ ଓ କଂଗ୍ରେସରୁ ନେତା ମାନେ ପଦ୍ମ ଶିବିରରେ ଏଣ୍ଟ୍ରି କରୁଛନ୍ତି । ଆଉ ଅପର୍ଣ୍ଣା ମଧ୍ୟ ଏହି ଦଳବଦଳ ରାଜନୀତିର ଅଂଶବିଶେଷ । ଅପର୍ଣ୍ଣା ବିଜେପିରେ ମିଶିବା ସମାଜବାଦୀ ଦଳ ପାଇଁ ଏକ ବଡ ଝଟକା । କାରଣ ଅପର୍ଣ୍ଣାଙ୍କୁ ଦଳରେ ସାମିଲ କରି ମୁଲାୟମଙ୍କ ପରିବାରରେ ସବୁ କିଛି ଠିକ୍ ନଥିବା ସନ୍ଦେଶ ପହଞ୍ଚାଇଛି ବିଜେପି ।

ଆଜି କରହଲରୁ ଅଖିଳେଶ ନାମାଙ୍କନପତ୍ର ଦାଖଲ କରିବେ । ଆଉ ଅନ୍ୟପଟେ ବିଜେପି ଏଯାଏଁ କରହଲରୁ କିଏ ଦଳୀୟ ପ୍ରାର୍ଥୀ ହେବ ତାହା ଘୋଷଣା କରିନାହିଁ । ତେଣୁ କୁହାଯାଉଛି ଅଖିଳେଶଙ୍କ ବିରୋଧରେ ଅପର୍ଣ୍ଣାଙ୍କୁ ପ୍ରାର୍ଥୀ କରି ମାଷ୍ଟରଷ୍ଟ୍ରୋକ ମାରିବା ଲକ୍ଷ୍ୟରେ ରହିଛି ବିଜେପି । ଆଉ ଚର୍ଚ୍ଚା ସତ ହୁଏ, ତେବେ କରହଲରୁ ଅଖିଳେଶଙ୍କୁ ସାମ୍ନା କରିବା ଅପର୍ଣ୍ଣାଙ୍କ ସହଜ ହୋଇନପାରେ । କାରଣ କରହଲରେ ଏତେଟା ସକ୍ରିୟ ନାହିଁ ଅପର୍ଣ୍ଣାଙ୍କ କ୍ୟାମ୍ପ ।