ଅପରାଜିତାଙ୍କ ‘ପୃଷ୍ଠା ପ୍ରମୁଖ’ । ସଂଗଠନରେ ଲାଗୁ ହେବା ପୁର୍ବରୁ, ସଂସଦୀୟ କ୍ଷେତ୍ରରେ କଲେ କାର୍ଯ୍ୟକାରୀ ।

ଏକ ଶୃଙ୍ଖଳିତ ଦଳ ଭାବେ ବିଜେପି ରାଜ୍ୟରେ ଜାର୍ଯ୍ୟ କରୁଛି ବୋଲି ଦଳୀୟ ନେତା ବାରମ୍ବାର ମତ ଦେଉଥିଲେ ମଧ୍ୟ, ବାସ୍ତବରେ ଭିନ୍ନ ଚିତ୍ର ପ୍ରତିଫଳିତ ହେଉଛି ।

107

ଯୋଜନା ଥିଲା, ସାରା ରାଜ୍ୟରେ କାର୍ଯ୍ୟକାରୀ କରିବା, ଏଥିପାଇଁ କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ ହୋଇ ସାରିଥିଲା, ହେଲେ ଆଗୁଆ ଏହାକୁ ନିଜ ସଂସଦୀୟ କ୍ଷେତ୍ରରେ ଲାଗୁ କରାଇ ଦଳୀୟ ସଂଗଠନ ଭିତରେ ପୁଣି ବିବାଦୀୟ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ଜନ୍ମଦିନ ଅବସରରେ ସାଂସଦ ସଂଗଠନକୁ ସୁଦୃଢ କରିବାକୁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଆଉ ଏହାକୁ ନେଇ ଏବେ ଦଳ ଭିତରେ ଅସନ୍ତୋଷ ବଢିଥିବା ସୁଚନା ମିଳିଛି । ଦଳୀୟ ନେତାଙ୍କ କହିବା ଅନୁସାରେ, ସାରା ରାଜ୍ୟରେ ଏହାକୁ ଲାଗୁ କରାଇବାକୁ ପ୍ରଭାରୀ ଏବଂ ସହ ପ୍ରଭାରୀ ଆସୁଥିବା ବେଳେ କିଭଳି ସାଂସଦ ଏହାକୁ ଆଗୁଆ କାର୍ଯ୍ୟକାରୀ କରାଇଲେ, ସେନେଇ ପ୍ରଶ୍ନ ବି ଉଠିଛି ।

ମିଳିଥିବା ସୁଚନା ଅନୁସାରେ, ‘ମୋ ବୁଥ ସବୁଠୁ ମଜଭୁତ’କୁ ଆଉ ପାଦେ ଆଗକୁ ନେବାକୁ ‘ପୃଷ୍ଠା ପ୍ରମୁଖ’ ନାମକ ଏକ କାର୍ଯ୍ୟକ୍ରମକୁ ଦଳ ଆରମ୍ଭ କରିବାକୁ ଯାଉଛି । ଅର୍ଥାତ୍ ଭୋଟର ତାଲିକାର ବହିର ଗୋଟିଏ ପୃଷ୍ଠାରେ ଥିବା ଭୋଟରଙ୍କ ଉପରେ ନଜର ରଖିବାକୁ ଦଳ ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୁରୁତ୍ୱ ଦେବ । ଏଥିପାଇଁ ଗୁଜୁରାଟ ମଡେଲ ଉପରେ ଦଳ ଧ୍ୟାନ ଦେଇଥିଲା । ଏଥିପାଇଁ ଏକ ୯ ଜଣିଆ କମିଟି ମଧ୍ୟ ଗୁଜୁରାଟ ଗସ୍ତ କରିଥିଲା । ଦଳର ସାଂଗଠନିକ ସ୍ଥିତି, ବ୍ୟବସ୍ଥା, ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗଦେବାକୁ ଭୁବନେଶ୍ୱର ସାଂସଦଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ,ଭୃଗୁ ବକ୍ସିପାତ୍ର, ୨ ବିଧାୟକ ଏହିଭଳି ଜଣିଆ ଏକ ଟିମ ଗୁଜୁରାଟ ମଡେଲ ଅନୁଧ୍ୟାନ କରିବାକୁ ଯାଇଥିଲେ । ବର୍ଷ ବର୍ଷ ଧରି ଯେଉଁ ମଡେଲ ଗୁଜୁରାଟରେ ସଫଳ ହୋଇଥିଲା, ଉତରପ୍ରଦେଶରେ ସଫଳତା ଆଣିଥିଲା, ତାକୁ ଲାଗୁ କରାଇବାକୁ ଦଳୀୟ ନେତୃତ୍ୱ ଅଂଟା ଭିଡିଛନ୍ତି ।

୯ ଜଣିଆ ଟିମ୍ ଯେଉଁ ସବୁ ଦିଗକୁ ଅନୁଧ୍ୟାନ କରିଥିଲେ ତାର ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟ ସଂଗଠନକୁ ମଜଭୁତ କରିବାକୁ ଉଦ୍ୟମ ଅରମ୍ଭ କରାଯିବାକୁ ରାଜ୍ୟ ସଭାପତି କୁଆଡେ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ପ୍ରଭାରୀ ଏବଂ ଦିଲ୍ଲୀ ସହ ଯୋଗାଯୋଗରେ ରହି ରଣନୀତି ତିଆରି କରିଥିଲେ । ମାତ୍ର ଏହାକୁ ଦଳୀୟ ସଂଗଠନରେ କାର୍ଯ୍ୟକାରୀ କରାଯିବା ଆଗରୁ ନିଜ ଜନ୍ମଦିନ ଅବସରରେ ଏହାକୁ ନିଜ ସଂସଦୀୟ କ୍ଷେତ୍ର ପାଇଁ ଲାଗୁ କରାଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆସନ୍ତାକାଲି ପ୍ରଭାରୀ ଏବଂ ସହ ପ୍ରଭାରୀ ଓଡିଶା ଅସି ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ଥିବା ବେଳେ ଦଳ ଭିତରେ ଏହା ଚାପା ଗୁଂଜରଣ ସୃଷ୍ଟି କରିଛି । ସେହିଭଳି ଦଳରୁ ନିଲମ୍ବିତ ହୋଇଥିବା ମନ୍ମଥ ମଲ୍ଲିକଙ୍କୁ କିଭଳି ଅପରାଜିତା ସଂଗଠନରେ ଦାୟିତ୍ୱ ଦେଉଛନ୍ତି, ତାକୁ ନେଇ ମଧ୍ୟ ଦଳ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏକ ଶୃଙ୍ଖଳିତ ଦଳ ଭାବେ ବିଜେପି ରାଜ୍ୟରେ ଜାର୍ଯ୍ୟ କରୁଛି ବୋଲି ଦଳୀୟ ନେତା ବାରମ୍ବାର ମତ ଦେଉଥିଲେ ମଧ୍ୟ, ବାସ୍ତବରେ ଭିନ୍ନ ଚିତ୍ର ପ୍ରତିଫଳିତ ହେଉଛି । ସାଂଗଠନିକ କ୍ଷେତ୍ରରେ ସାଂସଦ ଅପରାଜିତା ନେଉଥିବା ନିଷ୍ପତ୍ତି ଦଳୀୟ ଆଭିମୁଖ୍ୟ ଠାରୁ ଅଲଗା ରହିବାର ଅନେକ ନଜିର ରହିଛି । ଯାହାକୁ ନେଇ ଅତୀତରେ କଥା କଟାକଟି ପର୍ଯ୍ୟନ୍ତ ସ୍ଥିତି ସୃଷ୍ଟି ହୋଇଥିଲା । ପିପିଲି ଉପ ନିର୍ବାଚନ ପରେ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଦଳ କାର୍ଯ୍ୟ କରିବା ବଦଳରେ ଦଳ ଭିତରେ କନ୍ଦଳ ବଢିବାର ଏକାଧିକ ଉଦାହରଣ ସାମ୍ନାକୁ ଆସିଲାଣି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ସଫଳତା ହାସଲ କରିଥିଲା, ଆଉ ସେବେଠାରୁ ଦଳ ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରୁଛି । ତେଣୂ ୫ ବର୍ଷ ପରେ ହେବାକୁ ଯାଉଥିବା ନିର୍ବାଚନ ଦଳ ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି । ହେଲେ ଏଭଳି ସ୍ଥିତିରେ ଦଳ ସଂଗଠିତ ହୋଇ ଆଗକୁ ବଢିବା ବଦଳରେ ବିଭାଜିତ ହୋଇ କାର୍ଯ୍ୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।