କନକ ବ୍ୟୁରୋ: ବାଲିପାଟଣା ରାସ୍ତାରେ ବିରୋଧ କରାଯିବା ପରେ, ଗଣ୍ଡଗୋଳ ସମୟର ଫଟୋ ଜାରି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଏମିତି ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଜାରି କରିଥିବା ଫଟୋରେ ବିରୋଧ କରିବାକୁ ଆସିଥିବା ମହିଳାଙ୍କ ହାତରେ ଟେକା ପଥର, ଅଣ୍ଡା ଓ କଳାପତାକା ଥିବା ଦେଖିବାକୁ ମିଳିଛି । ତେବେ ଏଭଳି ବିରୋଧକୁ ପ୍ରାୟୋଜିତ ବୋଲି କହିଛନ୍ତି ଅପରାଜିତା । ଏଥିସହ ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ବ୍ୟବହାରା କରାଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ଅପରାଜିତାଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାକୁ ନିନ୍ଦା କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭୁବନେଶ୍ୱର ସାଂସଦଙ୍କୁ ତାଙ୍କ ନିର୍ବାଚନମଣ୍ଡଳି ଗସ୍ତ କରିବା ବେଳେ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା ଦୁର୍ଭାଗ୍ୟଜନକ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଯେଉଁମାନେ ସରକାର ବିରୋଧରେ ମୁହଁ ଖୋଲୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଅନ୍ୟପଟେ ଅପରାଜିତାଙ୍କୁ ଅଭିଯୋଗକୁ ଖଣ୍ଡନ କରିବା ସହ ସେ ମହିଳାମାନଙ୍କୁ କ୍ଷମାମାଗନ୍ତୁ ବୋଲି ଦାବି କରିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ନିଜ ସୋସିଆଲ ମିଡିଆରେ ମହିଳାଙ୍କୁ ଗୁଣ୍ଡାର ଆଖ୍ୟା ଦେଇଛନ୍ତି ଅପରାଜିତା । ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ସାଂସଦ ।
ଅପରାଜିତା ନିଜକୁ ଅସୁରକ୍ଷିତ କହିବା ଓ ରବିବାର ରାତିର ଘଟଣା ପରେ, ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି କମିଶନରେଟ୍ ପୋଲିସ ।

ଗତ କିଛି ଦିନ ହେଲା ସାଂସଦଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବାର ଦୃଶ୍ୟ ସାମନାକୁ ଆସୁଛି । ବିଶେଷକରି ମହିଳାମାନେ ବିରୋଧ କରୁଥିବା ଦେଖାଯାଉଛି । ଯାହାକୁ ନେଇ ସାଂସଦ ଉଦବେଗ ପ୍ରକାଶ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଓ କମିଶନରେଟ ପୋଲିସକୁ ଜଣାଇଥିଲେ । ହେଲେ, ରବିବାର ବାଲିପାଟଣାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ରାସ୍ତାରେ ଅପରାଜିତାଙ୍କୁ ବିରୋଧ କରିଥିଲେ କିଛି ମହିଳା । ଯାହାକୁ ନେଇ ଅପରାଜିତାଙ୍କ ସମର୍ଥକ ଓ ବିରୋଧକାରୀଙ୍କ ମୁହାଁମୁହିଁ ହୋଇଥିଲେ । ଆଉ ଅଟକି ରହିଥିଲେ ସାଂସଦ ।