କନକ ବ୍ୟୁରୋ: ବିରୋଧୀଙ୍କ ଟାର୍ଗେଟରେ ପ୍ରଶାସନିକ ଅଧିକାରୀ । ରାଜ୍ୟର ୪ରୁ ୬ ଜଣ ଅଫିସରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାପାଳ କାହିଁକି ୫ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିଛନ୍ତି, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ଏହାସହ କେନ୍ଦ୍ର ସରକାରଙ୍କ ନଜରରେ ଏହି ସବୁ ଅଫିସର ଥିବା କହି ସୁଧୁରିବା ପାଇଁ ଚେତାଇ ଦେଇଛନ୍ତି ।

Advertisment
  • ବିରୋଧୀଙ୍କ ଟାର୍ଗେଟରେ ଦୁଇ ଜିଲ୍ଲାପାଳ
  • ‘୫ ବର୍ଷରୁ ଅଧିକ ସମୟ ହେଲା ମାଡିବସିଛନ୍ତି ଗାଦି’

ଗତ ସାଢେ ୫ ବର୍ଷ ହେଲା ଜିଲ୍ଲାରୁ ଅନେକ ବରିଷ୍ଠ ଅଧିକାରୀଙ୍କ ବଦଳି ହେଲାଣି । କିନ୍ତୁ ୨୦୧୮ ଏପ୍ରିଲ ୨୬ରେ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ବିନୀତ ଭରଦ୍ୱାଜ ଆଜିଯାଏ ଗାଦି ମାଡିବସିଛନ୍ତି । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକାଳ ଭିତରେ ୪ ଏସପି ବଦଳି ଏବେ ପଞ୍ଚମ ଏସପି ଭାବେ ବାତୁଲ ଗଙ୍ଗାଧର ଯୋଗ ଦେଇଛନ୍ତି । ସେହିପରି ୭ଜଣ ଉପଜିଲ୍ଲାପାଳ ବଦଳି ହୋଇ ସାରିଲେଣି । କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇଥିଲେ ମଧ୍ୟ କାହା ଆଶୀର୍ବାଦରୁ ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜଙ୍କ ଚୌକି ସୁରକ୍ଷିତ ଅଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଗୋଟିଏ ଜିଲ୍ଲାରେ ୩ ବର୍ଷ ଧରି କାମ କରିଥିବା ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଉଛି । ହେଲେ ବୀନିତ ଭରଦ୍ୱାଜଙ୍କୁ କାହିଁକି ସରକାର ହାତ ମାରୁ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି ।

ସେହିପରି ଆଉ ଜଣେ ବିବାଦୀୟ ଜିଲ୍ଲାପାଳ ଆଶୀଷ ଠାକରେ । ସେ ମଧ୍ୟ କେନ୍ଦୁଝରରେ ୫ ବର୍ଷରୁ ଅଧିକ ସମୟ ହେଲା ଜିଲ୍ଲାପାଳ ଅଛନ୍ତି । ୨୦୧୮ ଜାନୁଆରୀରେ ସେ ଜିଲ୍ଲାରେ ଯୋଗ ଦେଇଥିଲେ । ଏହି ବାବୁଙ୍କ ନାଁରେ ଜାତୀୟ ଜନଜାତି କମିଶନ ଆରେଷ୍ଟ ୱାରେଂଟ୍ ମଧ୍ୟ ଜାରି କରିଥିଲେ । ଜନଜାତି ଉତ୍ପୀଡନ ସଂପର୍କିତ ଏକାଧିକ ମାମଲାରେ ତାଙ୍କୁ ନୋଟିସ ହୋଇଥିଲା । ୮ ଥର ନୋଟିସ ପରେ ହାଜର ନହେବାରୁ ଜାରି ହୋଇଥିଲା ଗିରଫ ପରୱାନା । ହେଲେ ଏହି ବିବାଦୀୟ ବାବୁଙ୍କ ଉପରେ କାହିଁକି ଏତେ ଅନୁକମ୍ପା ଅଜାଡି ଦେଇଛନ୍ତି ସରକାର ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଖଣି ଅଞ୍ଚଳ ହୋଇଥିବାରୁ ଏହି ଅଧିକାରୀ ଜଣକ ବ୍ୟବସାୟୀକ ଡିଲ କରନ୍ତି ବୋଲି ମଧ୍ୟ ବିରୋଧୀ ଅଭିଯୋଗ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୨୦୧୦ରୁ କେଉଁ ଜିଲ୍ଲାପାଳମାନେ କେତେ ସମୟ ଧରି କେଉଁ ଜିଲ୍ଲାରେ କାମ କରୁଛନ୍ତି ଓ ସେମାନଙ୍କ କାର୍ଯ୍ୟଧାରା କଣ ସେନେଇ ଗତ ବିଧାନସଭା ଅଧିବେଶନରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହାର ଉତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କେବଳ ତଥ୍ୟ ସଂଗ୍ରହ କରାଯାଉଥିବା କହିଥିଲେ । ଅର୍ଥାତ ବିଧାନସଭାରେ ମଧ୍ୟ ଏଭଳି ବିବାଦୀୟ ବାବୁଙ୍କ ସଂପର୍କରେ ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି ।