ମାସ୍କକୁ ନେଇ ମୁହାଁମୁହିଁ । ଅପରାଜିତାଙ୍କ ଅଭିଯୋଗ, ନିର୍ଦ୍ଦିଷ୍ଟ ରାଜ୍ୟରୁ କିଣା ଯାଇଛି ମାସ୍କ, ବିଜେଡି କହିଲା ମିଛ ଅଭିଯୋଗ ଆଣୁଛନ୍ତି ଭୁବନେଶ୍ୱର ସାଂସଦ ।

222

କନକ ବ୍ୟୁରୋ : ମାସ୍କ କିଣାରେ ଦୁର୍ନୀତି ପ୍ରସଙ୍ଗ ଥମିବାର ନା ନେଉନାହିଁ । କରୋନା ମୁକାବିଲା ବେଳେ ମାସ୍କ କିଣାରେ ଅନିୟମିତତାର ଅଭିଯୋଗକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରରେ ଏକ ଫ୍ଲାଏ ଓଭରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଅପରାଜିତା କହିଛନ୍ତି ମାସ୍କ କିଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ରାଜ୍ୟକୁ ଅନୁକମ୍ପା ଦେଖାଇଛନ୍ତି ରାଜ୍ୟ ସରକାର । ସେପଟେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ସାମାଜିକ ଦୂରତା ନିୟମକୁ ଉଲଂଘନ କରିଛନ୍ତି ଏବଂ କୋଭିଡ ଗାଇଡଲାଇନକୁ ମାନି ନାହାନ୍ତି ଅପରାଜିତା ଷଡଙ୍ଗୀ ।

କରୋନା ପାଇଁ ମାସ୍କ କିଣାବିକାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ଓଡିଶାକୁ ମାସ୍କ ଆମଦାନୀ ପାଇଁ ଏକ ନିର୍ଦ୍ଦିଷ୍ଟ ରାଜ୍ୟକୁ ଅନୁକମ୍ପା ଦେଖାଇଛନ୍ତି ଓଡିଶା ସରକାର । ଯଦି ଓଡିଶାରେ ମାସ୍କ ତିଆରି ହୋଇଥାଆନ୍ତା ତେବେ ଓଡିଆ ଲୋକ ରୋଜଗାର ପାଇଥାଆନ୍ତେ । ହେଲେ ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଦୁର୍ନୀତି ହୋଇ ନାହିଁ ବୋଲି ସଫେଇ ଦେଇଛି ଶାସକ ଦଳ । ବର୍ଦ୍ଧିତ ଦରରେ ମାସ୍କ କିଣିବା ଓ ଭେଂଟିଲେଟର ଭଳି ଜରୁରୀ ସାମଗ୍ରୀ ଅର୍ଡର ଦେବା ପରେ ବି ଔଷଧ ନିଗମ ଗ୍ରହଣ ନକରିବା ଘଟଣା କୋଭିଡ-୧୯ ପରିଚାଳନାରେ ଦୁର୍ନୀତି ନେଇ ସନ୍ଦେହ ବଢାଇଥିଲା । ପରେ ପରେ କୋଭିଡ ସାମଗ୍ରୀ କିଣିବା ଦାୟିତ୍ୱରେ ଥିବା ଆଇଏଏସ ହେମନ୍ତ ଶର୍ମାଙ୍କ ସହ ସବୁ ବରିଷ୍ଠ ଅଧିକାରୀଙ୍କୁ ସରକାର ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ । ଆଉ ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଘେରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

କରୋନା ପରିଚାଳନାରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଅପରାଜିତା ଘେରିବା ପରେ କରୋନା କଟକଣାକୁ ଉଲଙ୍ଘନ କରିବାର ପାଲଟା ଅଭିଯୋଗ ଆଣି ବିଜେପି ସାଂସଦଙ୍କୁ ଘେରିଛି ବିଜେଡି । ଫ୍ଲାଏ ଓଭରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନରଖିବା ସହ ଭିଡକୁ ପ୍ରଶ୍ରୟ ଦିଆଯାଇଥିବା ନେଇ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କରୋନା ଭଳି ଜଟିଳ ପରିସ୍ଥିତିରେ କିନ୍ତୁ ଦୁର୍ନୀତିର ଯେଉଁ ଅଭିଯୋଗ ଆସୁଛି ତାହା ଚିନ୍ତା ଜନକ । କାହିଁକି ନା କରୋନା ଲଢେଇରେ ରାଜନୈତକ ବୟାନ ଅପେକ୍ଷା ସତର୍କତାର ସହ ମୁକାବିଲା ଅଧିକ ଆବଶ୍ୟକ ।