ଜମି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ । କହିଲେ, ଚଞ୍ଚକତା କରି ୧୫୦ ଏକର ଜମିକୁ ତାରବାଡ଼ କରାଯାଇଛି, କିରୁଥିକା ପ୍ରଭାକରନ ଚାଷ ଜମ ହଡ଼ପ କରିଥିବା ଅଭିଯୋଗ ।

134

କନକ ବ୍ୟୁରୋ : ଜମି ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ । କହିଲେ ଜମି ଦୁର୍ନୀତିରେ ସରକାରୀ କର୍ମଚାରୀଙ୍କର ରହିଛି ହାତ । ଚଂଚକତା କରି ୧୫୦ ଏକର ଜମିକୁ ତାରବାଡ଼ କରାଯାଇଛି ବୋଲି କହିଛନ୍ତି ଅପରାଜିତା । ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଅଭିଯୋଗ ଆଣିବା ସହ କହିଛନ୍ତି, ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡପ ଚାଲିଛି ।ସରକାରୀ ଅଧିକାରୀ ଯିଏ ଶାସନ ବ୍ୟବସ୍ଥା ହାଇଜାକ୍ କରିଥିଲେ ଏ ହେଉଛି ତାଙ୍କର ଆଉ ଏକ ରୂପ । ଭୁବନେଶ୍ବରରୁ ୧୫ କିମି ଦୂରରେ ଏହି ଜମି ହଡପ ପ୍ରକଳ୍ପ ଚାଲିଛି । ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ହୋଇଛି । ସେସବୁ ଅନାବାଦୀ, ଜଙ୍ଗଲ ଏବଂ ଦେବ ଜମି, କିଛି ବ୍ୟକ୍ତିଗତ ଜମି ବି ଅଛି । ଏହା ସହ ହାଲ କର୍ମଚାରୀ ସଂଘର ୨୫ ଏକର ଜମି ବି ସେହି ଜବରଦଖଲ ଭିତରେ ରହିଛି ବୋଲି କହିଛନ୍ତି ଅପରାଜିତା ।

ଏହାସହ ଅପରାଜିତା କହିଛନ୍ତି, ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳା ଶ୍ରୀମତୀ କିରୁଥିକା ପ୍ରଭାକରନ ତାଙ୍କ କଂପାନୀ ତ୍ରିବେଣୀ ଆର୍ଥମୁଭରସ୍ ଏହି ଜମି ଜବରଦଖଲ କରିଛନ୍ତି । ଏନେଇ ଲୋକମାନେ ବାରମ୍ବାର ଅଭିଯୋଗ କଲେଣି ହେଲେ ଅଭିଯୋଗ କଲେ ଅଧିକାରୀ କହୁଛନ୍ତି ଏଇଟା ପାଣ୍ଡିଆନ ପ୍ରୋଜେକ୍ଟ ଚାଲିଛି କୌଣସି ସରକାରୀ କର୍ମଚାରୀ କିଛି କହିପାରିବେନି । କେନାଲକୁ ବି ବନ୍ଦ କରି ପୋତି ଦେଇଛନ୍ତି କିରୁଥିକା ପ୍ରଭାକରନ । ୩୦୦ ଚାଷୀ ପରିବାରଙ୍କ ଜମି ରହିଛି ସେଥିରେ ସେମାନେ ତାଙ୍କ ଜମି ଯାଉ ପାରୁନାହାନ୍ତି କି ପାଣି ପାଉ ନାହାନ୍ତି । ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ନିଆଳି ଓଲଟପୁରରେ ବି ଜାଗା ନେଇଛନ୍ତି । ମାଇନିଂରୁ ପଇସା ଲଗେଇକି ତୃତୀୟ ମହଲାର ଜଣେ କର୍ମଚାରୀଙ୍କ ନାଁ ନେଇ ଲୋକଙ୍କୁ ଚାପି ଅଧିକାରୀଙ୍କୁ ଡରେଇ ଜମି ହଡପ କରୁଛନ୍ତି, ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବେ କି ସେଥିରେ ସରକାରୀ ଅଧିକାରୀଙ୍କ ସଂପ୍ରକ୍ତି ନାହିଁ । ଏହାସହ କିରୁଥିକା ପ୍ରଭାକରନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖେ ସାହସ ଅଛି କି? ମୁଖ୍ୟମନ୍ତ୍ରୀ ସେହି ସ୍ଥାନକୁ ଯିବେକି ବୋଲି ପ୍ରଶ୍ନ କଲେ ଅପରାଜିତା । ଏସବୁ ପ୍ରଶ୍ନର ଉତ୍ତର ନରଖିଲେ ଆଗକୁ ପ୍ରତିବାଦ ହେବ ବୋଲି ଚେତାବନୀ ଦେଇଛନ୍ତି ଅପରାଜିତା ।