ଭୁବନେଶ୍ୱର ଲୋକସଭା ପାଇଁ ବିଜେପି ଟିକେଟ ହାତେଇଲେ ଅପରାଜିତା । କହିଲେ, ଉଭୟ ବିଧାନସଭା ଓ ଲୋକସଭାରେ ଜିତିବ ବିଜେପି ।

656

କନକ ବ୍ୟୁରୋ : ଏଥର ୧୫ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଓଡ଼ିଶା ପାଇଁ ୧୮ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ କିଛି ଏଭଳି କହିଛନ୍ତି ଅପରାଜିତା । ଗତଥର ଭଳି ଚଳିତଥର ମଧ୍ୟ ଭୁବନେଶ୍ୱରରୁ ଅପରାଜିତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏହି ଘୋଷଣା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପରାଜିତା । ପୁଣିଥରେ ତାଙ୍କ ଉପରେ ଭରସା କରିଥିବାରୁ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି ଅପରାଜିତା ।

ଏହାସହ ଅପରାଜିତା କହିଛନ୍ତି, ଭୁବନେଶ୍ୱରବାସୀଙ୍କ ଆଶୀର୍ବାଦ ଯୋଗୁଁ ମୋତେ ଏହି ଟିକେଟ ମିଳିଛି । ଏହି ଟିକେଟ ଭୁବନେଶ୍ୱରବାସୀଙ୍କର ଟିକେଟ । ଭୁବନେଶ୍ୱରବାସୀ ମୋ ପାଇଁ ନିର୍ବାଚନ ଲଢିବେ । ଗତ ୫ ବର୍ଷ କଠିନ ପରିଶ୍ରମ କରିଛି । ଲୋକଙ୍କର ସହଯୋଗ ଓ ଆଶୀର୍ବାଦ ମିଳିଛି । ଆଗାମୀ ଦିନରେ ମଧ୍ୟ ଭୁବନେଶ୍ୱରରେ ଅଧିକ କାମ କରିବୁ । ଓଡ଼ିଶାରେ ବିଜେପି ଓ ମୋଦୀଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ବଢିଛି । ଉଭୟ ଲୋକସଭା ଓ ବିଧାନସଭାରେ ଓଡ଼ିଶାରେ ବିଜେପି ଜିତିବ ଏବଂ ମୋଦୀ ସରକାର ହେବ । ଲୋକସଭାରେ ୧୫ଟି ଆସନ ନିଶ୍ଚୟ ଜିତିବୁ ବୋଲି କହିଛନ୍ତି ଅପରାଜିତା ।

ଗୋଟିଏ ପଟେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ଅପରାଜିତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନ୍ୟପଟେ ବିଜେଡି ଓ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ । ଅପରାଜିତାଙ୍କ ବିପକ୍ଷରେ ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ର ନିର୍ବାଚନୀ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଦଳ ପକ୍ଷରୁ ଏଯାଏଁ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ ।