କନକ ବ୍ୟୁରୋ : ଭୁବନେଶ୍ବରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଫରେନ୍ ଟ୍ରେଡ୍(ଆଇଆଇଏଫଟି) ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏ ନେଇ ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ଆଲୋଚନା କରିବା ସହ ଚିଠି ଲେଖି ଆଇଆଇଏଫଟିର ଆବଶ୍ୟକତା ସମ୍ପର୍କରେ ଯୁକ୍ତି ବାଢ଼ିଛନ୍ତି। ଏହାଛଡ଼ା ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ଚିଠି ଲେଖି ଏହି ପ୍ରତିଷ୍ଠାନ ପାଇଁ ମାଗଣାରେ ୫ ଏକର ଜାଗା ଓ ଭିତ୍ତିଭୂମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

Advertisment

publive-imageକେନ୍ଦ୍ର ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀମତୀ ଷଡ଼ଙ୍ଗୀ ଦର୍ଶାଇଛନ୍ତି, ପୂର୍ବ ଭାରତରେ ଭୁବନେଶ୍ବର ଏକ କସମୋପଲିଟାନ ସହର ଭାବେ ଉଭା ହେଉଛି।ଏମସିଏଲ , ନାଲକୋ ପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟାଳୟ ସମେତ ବୃହତ ଆଇଟି କମ୍ପାନିଗୁଡ଼ିକର କେନ୍ଦ୍ର ଭୁବନେଶ୍ବରରେ ରହିଛି। ସାମୁଦ୍ରିକ ଖାଦ୍ୟ ରପ୍ତାନି ଓଡ଼ିଶାରୁ ବଢ଼ୁଥିବା ବେଳେ ସି-ଫୁଡ୍ କମ୍ପାନିଗୁଡ଼ିକ ଭୁବନେଶ୍ବରରେ କାରବାର ତ୍ବରାନ୍ବିତ କରିଛନ୍ତି। ଆଇଆଇଟି, ଆଇଆଇଏମ୍ ପରି ସମ୍ମାନଜନକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରର ଦ୍ରୁତ ବିକାଶ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହେଉଛନ୍ତି। ଏ ସବୁ ସତ୍ତ୍ବେ ବୈଦେଶିକ ବାଣିଜ୍ୟ, ରପ୍ତାନି, ଆମଦାନି ଓ ବାଣିଜ୍ୟ ସମ୍ପର୍କିତ ଆଇନ ଆଦି କ୍ଷେତ୍ରକୁ ଫୋକସ୍ ଦେଉଥିବା ଶିକ୍ଷା ପ୍ରତିଷ୍ଠାନର ଅଭାବ ରହିଛି।

ଫଳରେ ଓଡ଼ିଶାରୁ ରପ୍ତାନି କାରବାର କ୍ଷେତ୍ରରେ ଏହା ଏକ ଶୂନ୍ୟସ୍ଥାନ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶକୁ ଗୁରୁତ୍ବ ଦେଉଥିଲାବେଳେ ଭୁବନେଶ୍ବରରେ ଆଇଆଇଏଫଟି ପରି ଅନୁଷ୍ଠାନର ଜରୁରୀ ଆବଶ୍ୟକତା ରହିଛି। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଂସଦ ଅନୁରୋଧ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଭୁବନେଶ୍ବରରେ ଆଇଆଇଏଫଟି ପ୍ରତିଷ୍ଠା ହେଲେ ରାଜ୍ୟରୁ ରପ୍ତାନି କାରବାର କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ଓ ଓଡ଼ିଶାର ଯୁବପିଢ଼ି ପାଇଁ ଅତିରିକ୍ତ ନିଯୁକ୍ତି ସୁେଯାଗ ସୃଷ୍ଟି କରିବ।

ବହୁ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଆଇଆଇଏଫଟି ପ୍ରତିଷ୍ଠା ପାଇଁ ମାଗଣାରେ ଜମି ଓ ଭିତ୍ତିଭୂମି ସହାୟତା ଯୋଗାଇ ଦେଉଛନ୍ତି। ତେଣୁ ଭୁବନେଶ୍ବରରେ ଏହାର ପ୍ରତିଷ୍ଠା ପାଇଁ ୫ ଏକର ଜାଗା ଓ ୫ କୋଟି ଟଙ୍କାର ଭିତ୍ତିଭୂମି ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।