ରାଜଧାନୀ ରାସ୍ତାରେ ପାଣି ଜମିବାକୁ ନେଇ ଟ୍ୱିଟର ୱାର୍

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟ୍ୱିଟକୁ ନେଇ ଟାର୍ଗେଟ କଲେ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର; କହିଲେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବିଏମସି କମିଶନର ଥିବା ଅପରାଜିତାଙ୍କ କାମର ପରିଣାମ ଭୋଗୁଛନ୍ତି ସହରବାସୀ

173

କନକ ବ୍ୟୁରୋ : ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ବର୍ଷା ପାଣିରେ ରାଜଧାନୀ ରାସ୍ତାରେ ପାଣିର ସୁଅ ଛୁଟିଛି । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ଟ୍ୱିଟର ୱାର । ଗତକାଲି ପ୍ରଥମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍ କରି ବିଜେଡି ସରକାରକୁ କଟାକ୍ଷ କରିଥିଲେ । ୨୧ ବର୍ଷର ଶାସନ ପରେ ଏପରି କାହିଁକି ହେଉଛି ବୋଲି ପ୍ରଶ୍ନ କରିବା ସହ ପାଣିରେ ଉବୁଟୁବୁ ହେଉଥିବା ରାଜଧାନୀ ରାସ୍ତାର କିଛି ଫଟୋ ମଧ୍ୟ ସେ ପୋଷ୍ଟ କରିଥିଲେ ।

ଏହା ପରେ ତାଙ୍କ ଟ୍ୱିଟରର ଜବାବ ଦେଇଥିଲେ ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତମାନର ବିଧାୟକ ଅନନ୍ତ ଜେନା । ଆଉ ଏବେ ଓଟିଡିସି ଅଧ୍ୟକ୍ଷ ତଥା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସାଂସଦ ଅପରାଜିତାଙ୍କୁ ଟାର୍ଗେଟ୍ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ୩ ବର୍ଷ ବିଏମସି କମିଶନର ଦାୟିତ୍ୱରେ ଥିଲେ ଅପରାଜିତା ଷଡଙ୍ଗୀ । ନିଜ ଉନ୍ନତ ମସ୍ତିଷ୍କରେ ସେତେବେଳେ ଯେଉଁ ଭଲ କାମ କରିଥିଲେ ତାର ପରିଣାମ ଏବେ ସହରବାସୀଙ୍କୁ ଭୋଗିବାକୁ ପଡୁଛି । ବିଏମସି କମିଶନର ଭାବେ ତାଙ୍କ କାର୍ଯ୍ୟର ପ୍ରାୟଶ୍ଚିତ କରୁଛୁ ବୋଲି ଲେଖିଛନ୍ତି ଶ୍ରୀମୟୀ ମିଶ୍ର । ଏହା ପରେ ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି । ଷ୍ଟାଣ୍ଡିଂ କମିଟିର ସୁପାରିଶକୁ କାହିଁକି ଗ୍ରହଣ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହ ଅପରାଜିତା ଆଜି ଭୁବନେଶ୍ୱରର ବିଭିନ୍ନ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।