ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ବର୍ଷାପାଣିରେ ରାଜଧାନୀ ରାସ୍ତାରେ ପାଣିର ସୁଅ ଚୁଟିଛି । ତଳି ଅଂଚଳରେ ଲୋକଙ୍କ ଘର ଭିତରେ ପାଣି । ଏହାକୁ ନେଇ ବିଜେଡି ସରକାରକୁ କଟାକ୍ଷ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଅପରାଜିତା କହିଛନ୍ତି, ଏ ହେଉଛି ସ୍ମାର୍ଟ ସିଟିର ଚିତ୍ର । ୨୧ ବର୍ଷର ଶାସନ ପରେ ଏପରି କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ । ଏହାସହ ପାଣିରେ ଉବୁଟୁବୁ ହେଉଥିବା ରାଜଧାନୀ ରାସ୍ତାର କିଛି ଫଟୋ ମଧ୍ୟ ସେ ପୋଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ପାର୍ଲାମେଂଟାରୀ ଷ୍ଟାଣ୍ଡିଙ୍ଗ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭେଲୋପମେଂଟ ପ୍ଲାନ ପ୍ରସ୍ତୁତ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି ଅପରାଜିତା । ସେ ପ୍ରଶ୍ନ କରିଛନ୍ତି, ବର୍ଷାରେ ସ୍ମାଟସିଟିର ଏପରି ଚିତ୍ର ସରକାରଙ୍କ ଆଳସ୍ୟ ନା ସରକାରଙ୍କ ଉଦାସିନତା ।
ସେପଟେ ଅପରାଜିତାଙ୍କ ଟ୍ୱିଟର ଜବାବ ଦେଇଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତମାନର ବିଧାୟକ ଅନନ୍ତ ଜେନା । ସେ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସବୁପ୍ରକାରର ଉଦ୍ୟମ କରିଛନ୍ତି । ପାଣି ନିଷ୍କାସନ ପାଇଁ ସବୁପ୍ରକାରର ବ୍ୟବସ୍ଥା କରାଯାଇଛି । ପାଣି ଜମିବା ନେଇ ଜାତୀୟ ରାଜପଥ କର୍ତୃପକ୍ଷ ବି ଦାୟୀ ବୋଲି ସେ କହିଛନ୍ତି ।
୧୯୫୮ ମସିହା ସେପ୍ଟେମ୍ବର ମାସରେ ସର୍ବାଧିକ ୧୬୩ମିମି ବର୍ଷା ହୋଇଥିବା ରେକର୍ଡ ହୋଇଥିଲା। ପାଣିପାଗ ବିଭାଗ ସତର୍କ ସୂଚନା ଆଧାରରେ ଯଦି ରାତିତମାମ୍ ବର୍ଷା ହୁଏ ବା ଆଉ ମାତ୍ର ୪୧ ମିମି ବର୍ଷା ହୁଏ, ତେବେ ୧୯୫୮ ମସିହାର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ଏହି ଆକଳନକୁ ନେଇ ରାଜଧାନୀବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ବର୍ଷବର୍ଷ ବିତିବା ପରେ ବି ସ୍ବତନ୍ତ୍ର ଡ୍ରେନେଜ୍ ପ୍ଲାନ୍ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ରାଜଧାନୀରେ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ସ୍ପଞ୍ଜ ଟେକ୍ନୋଲୋଜି ବ୍ୟବହାର କରାଯାଇ ଇସ୍କନ ସମ୍ମୁଖରେ ବର୍ଷା ପାଣି ଜମିବା ସମସ୍ୟାର ସମାଧାନ କରିବାକୁ ଯୋଜନା ହୋଇଛି । କିନ୍ତୁ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି ।