ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡା ହେଲେ ଅପରାଜିତା । ଉତ୍ସବକୁ ନଡାକିବାକୁ ନେଇ କ୍ଷୋଭ ପ୍ରକାଶ କଲେ ଭୁବନେଶ୍ୱର ସାଂସଦ

142

କନକ ବ୍ୟୁରୋ: ପାଳିତ ହେଇଛି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ମିଳିତ ଭାବେ ଏହାର ପାଳନ କରାଯାଉଛି । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲାବେଳେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ ପ୍ରଦର୍ଶିତ ହୋଇଛି ।

ନିମନ୍ତ୍ରଣ କରାନଯିବାକୁ ନେଇ ଅପରାଜିତାଙ୍କ କ୍ଷୋଭ । କାହିଁକି ଡକାଗଲାନି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି । ରାଜଧାନୀ ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଥିବାବେଳେ, ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଏପରିକି ଆୟୋଜକଙ୍କ ପକ୍ଷରୁ ଯେଉଁ ନିମନ୍ତ୍ରଣ କାର୍ଡ ଛପାଯାଇଛି ସେଥିରେ ମଧ୍ୟ ତାଙ୍କ ନାଁ ଉଲେଖ ନଥିବାରୁ ଟୁଇଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି । ଅପରାଜିତା ଲେଖିଛନ୍ତି ‘‘ ଆଜି ରାଜଧାନୀ ଭୁବନଶ୍ୱରର ପ୍ରତିଷ୍ଠା ଦିବସ । ଏହାକୁ ବଡ଼ ଧୁମଧାମରେ ରାଜ୍ୟ ସରକାର ପାଳନ କରୁଛନ୍ତି । ହେଲେ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏହି ସମାରୋହକୁ ଆମନ୍ତ୍ରଣ କରାଯାଇଛି । ଭୁବନେଶ୍ୱର ସାଂସଦ ହିସାବରେ ସମାରୋହରେ ସାମିଲ ହେବା ପାଇଁ ସେ ଆଗ୍ରହୀ, ହେଲେ କାହିଁକି ତାଙ୍କୁ ଆମନ୍ତ୍ରଣ କରାଗଲା ନାହିଁ ଓ ତାଙ୍କର ଦୋଷ କ’ଣ’’

କେବଳ ଏତିକି ନୁହେଁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଚିଠି ଲେଖି ଆପତି ଜଣାଇଛନ୍ତି ଅପରାଜିତା । ଏପରି ତ୍ରୁଟି ପାଇଁ କିଏ ଦାୟୀ ବୋଲି ତଦନ୍ତ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି । ଏପଟେ ଅପରାଜିତାଙ୍କୁ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ କାହିଁକି ଡକାଗଲାନି ସେନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ।

ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ସମାରୋହର ସଭାପତି ପ୍ରଦୋଶ ପଟ୍ଟନାୟକ କହିଛନ୍ତି ଅପରାଜିତାଙ୍କୁ ନଡ଼ାକିବା ଦୁର୍ଭାଗ୍ୟଜନକ । କେଉଁଠି ତ୍ରୁତି ରହିଛି ସେନେଇ ଅନୁଧ୍ୟାନ କରାଯିବ । କିଛି ଦିନ ହେଲା ଅପରାଜିତା ରାଜ୍ୟ ସରକାରଙ୍କୁ ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ଘେରି ଆସୁଛନ୍ତି । ଭୁବନେଶ୍ୱର ଏକାମ୍ର ପ୍ରକଳ୍ପରୁ ଆରମ୍ଭ କରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଓ ଶେଷରେ ଭୁବନେଶ୍ୱର ଝାରପଡା ଗଣେଶ ମଣ୍ଡପ ହାଟ ଭାଙ୍ଗିବା ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁଥିପାଇଁ ରାଜଧାନୀର ପ୍ରତିଷ୍ଠା ଦିବସକୁ ସାଂସଦ ଅପରାଜିତାଙ୍କୁ ଡକାଯାଇନଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।