ବିଜେପିରେ ଯୋଗ ଦେଲେ ଅପରାଜିତା । ଦିଲ୍ଲୀରେ ଅମିତ ଶାହଙ୍କ ଘରେ ମିଶ୍ରଣ ପର୍ବ

Advertisment
ବିଜେପିରେ ଯୋଗ ଦେଲେ ଅପରାଜିତା । ଦିଲ୍ଲୀରେ ଅମିତ ଶାହଙ୍କ ଘରେ ମିଶ୍ରଣ ପର୍ବ

କନକ ବ୍ୟୁରୋ: ଆଜି ବିଜେପିରେ ଯୋଗ ଦେଇଛନ୍ତି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଅମିତ ଶାହାଙ୍କ ଘରେ ବିଜେପିରେ ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ବ୍ୟୁରୋକ୍ରାଟ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ନେଇଥିବା କିଛି ବଡ ନିଷ୍ପତି ଆଜି ବି ତାଙ୍କୁ ଆଗଧାଡିରେ ରଖିଛି । ଯେଉଁ ଲୋକପ୍ରିୟତା ପ୍ରଶାସନିକ ଜୀବନରେ ସେ ହାସଲ କରିଥିଲେ, ଠିକ ସେଭଳି ରାଜନୈତିକ ସ୍ତରରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଦିଲ୍ଲୀ ଭଳି ଓଡିଶାରେ ବିଜେପି ନୂଆ ଏକ ଫର୍ମୁଲା ସହ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଅପରାଜିତା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ।

publive-image

ଗତ ଦୁଇ ମାସ ତଳେ ଯେତେବେଳେ ଅପରାଜିତା ଷଡଙ୍ଗୀ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ଚିଠିଲେଖିଲେ ସେତେବେଳେ ଅପରାଜିତାଙ୍କ ରାଜନୀତିରେ ସାମିଲ ହେବା ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଶେଷର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ସକାଳେ ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହୋଇଛନ୍ତି। ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଶ୍ରୀମତୀ ଷଡଙ୍ଗୀଙ୍କୁ ଦଳକୁ ସ୍ୱଗତ କରିବା ସହିତ ତାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇଥିଲେ। ପରେ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମତୀ ଷଡଙ୍ଗୀଙ୍କୁ ସ୍ୱାଗତ କରିବା ପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ତାଙ୍କୁ ପ୍ରାଥମିକ ସଦସ୍ୟତାର ରସିଦ ପ୍ରଦାନ କରିଥିଲେ।

କେଉଁ ଭୂମିକାରେ ଆସିବେ ଅପରାଜିତା?

ବରିଷ୍ଠ ପ୍ରଶାସିକା ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ନେଇ ସ୍ପଷ୍ଟ ହେବା ପରେ ଏମିତି ଅନେକ ପ୍ରଶ୍ନ ଏବେ ଘୁରି ବୁଲୁଛି । ଆଉ ଏହାରି ଭିତରେ ନିକଟରେ ଆସିଥିବା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଯେଉଁଥରେ ସେ କହିଥିଲେ କି- ପୃଥ୍ୱୀରାଜ ହରିଚନ୍ଦନ ଲୋକସଭାରୁ ନୁହେଁ ବିଧାନସଭାରୁ ନିର୍ବାଚନ ଲଢ଼ିପାରନ୍ତି । ଭୁବନେଶ୍ୱର ଲୋକସଭା ବଦଳରେ ଚିଲିକା ବିଧାନସଭାରୁ ଲଢ଼ିପାରନ୍ତି ପୃଥ୍ୱୀରାଜ । ଏହି ବୟାନ ପରେ ଚର୍ଚ୍ଚା ହେଉଛି- ଭୁବନେଶ୍ୱର ଲୋକସଭାରୁ ନିର୍ବାଚନ ଲଢି ପାରନ୍ତି ଅପରାଜିତା ଷଡଙ୍ଗୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe