କୋରାପୁଟ ପରେ କଳାହାଣ୍ଡିରେ ଅପରାଜିତା । ସ୍ଥାନୀୟ ସାଂସଦ, ବିଧାୟକ ଓ ନେତାଙ୍କ ବିନା ଉପସ୍ଥିତିରେ କଲେ ଶକ୍ତି ପ୍ରଦର୍ଶନ ।

248

କନକ ବ୍ୟୁରୋ : କଳାହାଣ୍ଡିରେ ବିଜେପି ସାଂସଦ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା । ନିଜର କିଛି କର୍ମୀଙ୍କୁ ନେଇ, ସ୍ଥାନୀୟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ଅପରାଜିତା । କିନ୍ତୁ ସାଙ୍ଗରେ ସ୍ଥାନୀୟ ସାଂସଦ କିମ୍ବା ବିଧାୟକ ଉପସ୍ଥିତ ନଥିଲେ । ପୂର୍ବରୁ କୋରାପୁଟରେ ବି ଏଭଳି କାର୍ଯ୍ୟକ୍ରମ କରିଥିଲେ ଅପରାଜିତା । କିନ୍ତୁ କାହିଁକି ଅନ୍ୟ ନେତା ସାମିଲ ହେଉନାହାନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି ।

ଅକ୍ଟୋବରରେ କୋରାପୁଟ ଓ ଏବେ କଳାହାଣ୍ଡି । ଦଳୀୟ ବ୍ୟାନର ଧରି ଏକା ଏକା ବୁଲୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସ୍ଥାନୀୟ ଓ ରାଜ୍ୟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଛନ୍ତି । ଅକ୍ଟୋବରରେ କୋରାପୁଟ ଗସ୍ତ କରିବା ପରେ ଏବେ କଳାହାଣ୍ଡିର କୋସିଙ୍ଗା ଓ କର୍ଲାମୁଣ୍ଡା ଯାଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଭବାନୀପାଟଣା ଆସି ଜିଲ୍ଲାର ଧାନ ଓ କପାର ଅଭାବୀ ବିକ୍ରି କଥା ଉଠାଇଛନ୍ତି ।

ଭୁବନେଶ୍ୱର ସାଂସଦ ଥାଇ ବିଜେପି ନେତ୍ରୀଙ୍କ ଘନ ଘନ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ ନେଇ ରାଜନୈତିକ ମହଲରେ ବି ଚର୍ଚ୍ଚା ଆରମ୍ଭ ହୋଇଛି । ଦଳୀୟ ନିର୍ଦ୍ଦେଶରେ ନା ନିଜର ସମର୍ଥନ ବୃଦ୍ଧି ପାଇଁ ଅପରାଜିତା ଏହି ଗସ୍ତ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ବଡ କଥା ହେଉଛି, କଳାହାଣ୍ଡିର ବିଜେପି ନେତା ଅପରାଜିତାଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ।

ଅପରାଜିତାଙ୍କୁ କେସିଙ୍ଗାରେ ବାଇକ ରାଲିରେ ଯୋଗଦେବା ସହ ପଦଯାତ୍ରା କରିଥିଲେ । ଏହା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଘରୋଇ ଥିଲା । କିନ୍ତୁ ଜଣେ ରାଷ୍ଟ୍ରୀୟ ମୁଖପାତ୍ରଙ୍କ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ବସନ୍ତ ପଣ୍ଡା କିମ୍ବା କୌଣସି ବିଧାୟକଙ୍କୁ ଦେଖାମିଳିନଥିଲା । ତେବେ ଏଭଳି ଏକ ପ୍ରଶ୍ନକୁ ଗୋଷ୍ଠୀ ବିବାଦ ନଥିବା କହି ଏଡାଇଯାଇଥିଲେ ସାଂସଦ । ଅପରାଜିତାଙ୍କ ଜିଲ୍ଲା ବୁଲିବା ପଛରେ କାରଣ କଣ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅପରାଜିତାଙ୍କ ଘନ ଘନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ ବିଜେପି ଶିବିରରେ ବି ଗୁଞ୍ଜରଣ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି,
କାହା ନିର୍ଦ୍ଦେଶରେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି ଅପରାଜିତା ?
-ଏଭଳି ଗସ୍ତ ପଛରେ କେନ୍ଦ୍ରୀୟ ନେତାଙ୍କ ସମର୍ଥନ ରହିଛି କି ?
-ରାଜ୍ୟର ବିଭିନ୍ନ ଗସ୍ତ କରି ନିଜ ପାଇଁ ଇମେଜ ସୃଷ୍ଟି କରୁଛନ୍ତି କି ସାଂସଦ ?
– ସ୍ଥାନୀୟ ନେତାଙ୍କୁ ଡକାଯାଉନି, ନା ସେମାନେ ଆସୁନାହାନ୍ତି ?

ପୂର୍ବରୁ ଅନେକ ପ୍ରସଙ୍ଗରେ ବିଜେପି ଆଭିମୁଖ୍ୟଠାରୁ ଅଲଗା ଆଭିମୁଖ୍ୟ ଦେଖାଇ ଚର୍ଚ୍ଚାର ରହିଆସିଛନ୍ତି ଅପରାଜିତା ଷଡଙ୍ଗୀ । ଏବେ ପ୍ରଶ୍ନ ଉଠୁଛି, ଏହା ଦ୍ୱାରା କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଅପରାଜିତା ।