କନକ ବ୍ୟୁରୋ : ଭୋଟ ପାଇଁ ନୋଟ କାରବାର । ପୌର ନିର୍ବାଚନରେ ଭୋଟ କିଣିବାକୁ ଶାସକ ଦଳ ଯୋଜନା କରିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ । ହେଲେ ପ୍ରମାଣ କିଛି ଦେଇ ନାହାନ୍ତି, କହିଛନ୍ତି, ଠିକ ସମୟରେ ଏହାର ଖୁଲାସା କରିବେ । ସେପଟେ ଉଭୟ ବିଜେଡି ଓ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି ।
ବସ୍ତିରେ ବଣ୍ଟାଯାଉଛି ଟଙ୍କା ! ଅଭିଯୋଗ ଆଣିଲେ ଅପରାଜିତା । ପୌର ପାଇଁ ପ୍ରଚାର ଆରମ୍ଭରୁ ଜୋର ଧରିଲାଣି ଆକ୍ଷେପ ପ୍ରତ୍ୟାକ୍ଷେପର ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଓ ମନ୍ତ୍ରୀ । ରାଜଧାନୀ ବସ୍ତି ଅଞ୍ଚଳରେ ଟଙ୍କା ଦେଇ ଶାସକଦଳ ଭୋଟ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଯାହାର ଭିଡିଓ ତାଙ୍କ ନିକଟରେ ଅଛି ଓ ଉପଯୁକ୍ତ ସମୟରେ ସେ ଏହାକୁ ଜନତାଙ୍କ ସାମ୍ନାକୁ ଆଣିବେ ବୋଲି କହିଛନ୍ତି । ଆଉ ଅପରାଜିତାଙ୍କ ଏହି ଅଭିଯୋଗର ଉତ୍ତର ରଖିଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ।
ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଭିତରେ କଥା କଟାକଟି କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣକୁ ନେଇ ମୁହାଁମୁହିଁ ହୋଇଥିଲେ ଏହି ଦୁଇ ନେତା । ଆଉ ଏହାରି ଭିତରେ ଆଜି ପ୍ରଚାର ଆରମ୍ଭ କରିଛନ୍ତି ଉଭୟ ଦଳର ମେୟର ପ୍ରାର୍ଥୀ ।
ପ୍ରଚାର ପୂର୍ବରୁ ପ୍ରାର୍ଥନା । ମହାଦେବଙ୍କ ଶରଣରେ ମେୟର ପ୍ରାର୍ଥୀ । ଆରୋପ ପ୍ରତିଆରୋପ ଭିତରେ ନାମାଙ୍କନ ପ୍ରକ୍ରିୟା ସାରି ପ୍ରଚାର ଆରମ୍ଭ କରିଛନ୍ତି ଦୁଇ ଦଳର ମେୟର ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ମଙ୍ଗଳବାର ପୂର୍ବାହ୍ନରେ ମହାପ୍ରଭୂ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରଚାର ଆଗକୁ ବଢାଇଥିବା ବେଳେ, ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ଅପରାହ୍ନରେ ଲିଙ୍ଗରାଜଙ୍କ ଆରାଧନା କରିଛନ୍ତି । ତେବେ ପୌର ପ୍ରଚାର ଆରମ୍ଭରୁ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ଆଉ ଏବେ ନିର୍ବାଚନ ଯେତେ ପାଖେଇବ ଜନତାଙ୍କୁ ଏମିତି ଆହୁରି ଅଧିକ ରୋଚକ ଦୃଶ୍ୟ ଦେଖିବାକୁ ମିଳିବ ।