କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଗସ୍ତରେ ଯାଉଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆଜି ଚନ୍ଦନପୁର କାଠପୋଲ ନିକଟରେ ପ୍ରଶାସନ ଅଟକାଇଛି । ଅପରାଜିତାଙ୍କ ଗାଡିକୁ ଅଟକାଇବା ସହ ପଦଯାତ୍ରା ନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।ଆଉ ଏହାର ଜବାବରେ ସାଂସଦ ଅପରାଜିତା କହିଛନ୍ତି, କୌଣସି ପଦଯାତ୍ରା ପାଇଁ ଅନୁମତି ମଗାଯାଇନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ମୁଁ ଆସିଛି, ଜଣେ ଭକ୍ତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାର ଅନୁମତିର ଆବଶ୍ୟକତା ନାହିଁ । ଗାଡି ଅଟକାଇଲେ ମଧ୍ୟ ମୁଁ ଏଠାରୁ ଏକା ଚାଲିକି ଯିବି, ମହାପ୍ରଭୁଙ୍କୁ ଦର୍ଶନ କରିବି ।
ସେହିଭଳି ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଅପରାଜିତା କହିଛନ୍ତି, ଯଦି ସବୁ କିଛି ସତ ମାର୍ଗରେ ଚାଲିଛି ତେବେ ଏତେ ଭୟ କାହିଁକି? ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷା କଥା କହୁଛି, ମୋ ସହିତ କୌଣସି ଦଳର ନୁହେଁ ବରଂ ମହାପ୍ରଭୁଙ୍କୁ ଭଲପାଉଥିବା ଭକ୍ତ ଆସିଛନ୍ତି । ପ୍ରଶାସନ ତାହାର କାର୍ଯ୍ୟ କରୁଛି । ମୁଁ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଏଠାରୁ ସୃଷ୍ଟି କରିବାକୁ ଆସିନାହିଁ । ଲୋକସଭାରେ ସବୁ କଥା କହିଛି, ଏହାସତ୍ତେ୍ୱ ମଧ୍ୟ ଏତେ ଡର କାହିଁକି? ସଂସଦରେ ସାଂସଦ ପିନାକୀ ମିଶ୍ର ଶୌଚାଳୟ କଥା କହିଲେ । କିନ୍ତୁ ଲୋକ ପ୍ରତିନିଧି ଭାବେ ଏ ବାବଦରେ ଅବଗତ ନହେବା ଦୁଃଖର ବିଷୟ ।
ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଉପରେ କୌଣସି ବିମାନ ଉଡିବାକୁ ଦିଆଯାଉନଥିଲା । କିନ୍ତୁ ଏବେ ଜେସିବି ଲଗାଇ ୩୦ ଫୁଟର ଗାତ ଖୋଳାଯାଉଛି । ଏଥିପାଇଁ କିଏ ଅନୁମତି ଦେଇଛି । ଏଏସଆଇ ଅନୁମତି ବିନା ଏତେ ବଡ ବଡ ଗାତ କାହିଁକି ଖୋଳାଯାଉଛି? ଜଗନ୍ନାଥ ମନ୍ଦିରର ସୁରକ୍ଷା ରାଜନୀତିର ଉଦ୍ଧ୍ୱର୍ରେ । ଜଗନ୍ନାଥ ମହାପ୍ରଭୁ ଓଡ଼ିଆଙ୍କ ଆସ୍ଥାର କେନ୍ଦ୍ର । ତାଙ୍କ ମନ୍ଦିରର ସୁରକ୍ଷା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ । ତେଣୁ ଏହି ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ ।