କନକ ବ୍ୟୁରୋ : ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ ପରେ ଲିଙ୍ଗରାଜ ମନ୍ଦିରର ଉନ୍ନତି କରଣ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ମନ୍ତ୍ରାଳୟକୁ ଚିଠି ଲେଖି କହିଛନ୍ତି ଯେ, ସବୁକିଛି ଆଇନ ଅନୁସାରେ କରାଯାଉଛି, ତେଣୁ ଆବଶ୍ୟକ ଅନୁମତି ଦିଆଯାଉ । ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା ଲିଙ୍ଗରାଜ ମନ୍ଦିରର ଉନ୍ନତି କରଣ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ।

Advertisment

ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତମ୍ବି ତୋଫାନ ଚାଲିଛି । ସରକାର ବେଆଇନ ଭାବେ ନିର୍ମାଣ ଓ ଖନନ କାମ କରୁଥିବା ଅଭିଯୋଗ କୋର୍ଟରେ ପହଂଚିଛି । ଆଉ ଏହାରି ଭିତରେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠିର ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ସଚିବଙ୍କୁ ଏହି ଚିଠି ଲେଖିଛନ୍ତି ।
ଲେଟର -୧
ସୁରେଶ ମହାପାତ୍ରଙ୍କ ସ୍ପଷ୍ଟୀକରଣ
- ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ- ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଆଇନ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟରୁ ଏନଓସି ମିଳିଛି
ଲେଟର -୨
ସୁରେଶ ମହାପାତ୍ରଙ୍କ ସ୍ପଷ୍ଟୀକରଣ
- ମହାପ୍ରଭୁ ଲିଙ୍ଗରାଜଙ୍କ ବହୁ ସ୍ଥାବର ସଂପତ୍ତି ରହିଛି । ଯେଉଁ ସଂପତ୍ତିକୁ ଲୁଜ ଆକାରରେ ଦେବାପାଇଁ ଅଧ୍ୟାଦେଶରେ ମନ୍ଦିର ପ୍ରଶାସନକୁ କ୍ଷମତା ଦିଆଯାଇଛି
ଲେଟର -୩
ସୁରେଶ ମହାପାତ୍ରଙ୍କ ସ୍ପଷ୍ଟୀକରଣ
- ଶ୍ରଦ୍ଧାଳୁଙ୍କ ନିରାପତ୍ତା, ବ୍ୟବସ୍ଥିତ ନିତିକାନ୍ତି ସହ ମନ୍ଦିର ସଂପତ୍ତିର ସୁରକ୍ଷା ପାଇଁ କୌଣସି କାମ କରିବାକୁ ନୂଆ ଅଧ୍ୟାଦେଶରେ ପ୍ରଶାସକଙ୍କୁ କ୍ଷମତା ଦିଆଯାଇଛି
ଲେଟର -୪
ସୁରେଶ ମହାପାତ୍ରଙ୍କ ସ୍ପଷ୍ଟୀକରଣ
- ବର୍ତ୍ତମାନ ମନ୍ଦିର ପରିସରରେ ୮ଟି ଓ ବାହାରେ ୧୧୫ଟି ପୂଜା ଦୋକାନ ରହିଛି, ଏହାକୁ ବ୍ୟବସ୍ଥିତ କରିବା ପାଇଁ ଅଧ୍ୟାଦେଶରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି

ଲିଙ୍ଗରାଜ ମନ୍ଦିରକୁ ନେଇ ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଆଦୌ ଆମସାର ଆଇନକୁ ଉଲ୍ଲଂଘନ କରୁନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ତଥାପି କେଁ ପୁରାଉଥିବା କହି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସେ ଟାର୍ଟେଟ କରିଛନ୍ତି ।

ଏଏସଆଇ ସୁରକ୍ଷାରେ ଥିବାରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବର୍ତମାନ ଆଇନର ଜାଲରେ ଛନ୍ଦି ହୋଇଯାଇଛି । ତେଣୁ ଲିଙ୍ଗରାଜ ମନ୍ଦିରକୁ ନେଇ ସରକାର ତାଙ୍କ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ଟିକା ଟିପ୍ପଣୀ ବି ଚାଲିଛି । ଅପରାଜିତା କହିଛନ୍ତି, ରାଜ୍ୟ ସରକାର କାହିଁକି ଡରି ଯାଉଛନ୍ତି । କଣ ଭୁଲ କାମ କରୁଛନ୍ତି କି? ଆଇନ ଅନୁସାରେ ହିଁ ପ୍ରକଳ୍ପ କାମ ହେଉ ।