ନିର୍ଭୟା ସଇତାନଙ୍କ ସୁରକ୍ଷା କବଚ : ନିର୍ଭୟା ଦୋଷୀ ଏବଂ ଫାଶୀ ମଧ୍ୟରେ ଶକ୍ତ କାନ୍ଥ ହୋଇଥିବା ବ୍ୟକ୍ତି , ତାରିଖ ପରେ ତାରିଖ ବଦଳାଇବାର ମାଷ୍ଟର ମାଇଣ୍ଡ ଓକିଲ

5,213

ନିର୍ଭୟା ମାମଲାରେ ପୁଣି ଟଳିଛି ଫାଶୀ ତାରିଖ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଫାଶୀ ଉପରେ ରୋକ ଲଗାଇଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଏହାକୁ ଲଗାଇ ତୃତୀୟ ଥର ପାଇଁ ଫାଶୀ ତାରିଖକୁ ଟାଳିଦିଆଯାଇଛି । ଦୋଷୀମାନଙ୍କ ଓକିଲ ଏପି ସିଂହ ପ୍ରତିଥର କିଛି ନା କିଛି ଚାଲାକି କରି ଫାଶୀ ତାରିଖକୁ ଘୁଞ୍ଚାଇବାରେ ସଫଳ ହେଉଛନ୍ତି । କିଛି ଦିନ ପୂର୍ବରୁ ଦୋଷୀ ପବନର କେସ୍ ଲଢିବା ପାଇଁ ମନା କରିଥିବା ଓକିଲ ଏପି ସିଂହ ପରେ ପବନର କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲେ । ଯେଉଁଥିପାଇଁ ପୁଣିଥରେ ଫାଶୀ ଘୁଞ୍ଚାଇବାରେ ସେ ସଫଳ ହୋଇଗଲେ ।

ତେବେ ଏହି ମାମଲାରେ ଦୋଷୀମାନଙ୍କ ସହ ତାଙ୍କ ଓକିଲ ଏପି ସିଂହ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଫାଶୀ ଦଉଡି ଏବଂ ଦୋଷୀଙ୍କ ମଝିରେ ସେ ଶକ୍ତ କାନ୍ଥ ଭଳି ଠିଆ ହୋଇ ରହିଛନ୍ତି । ୭ ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଚଳନ୍ତା ବସରେ ୬ ଜଣ ସଇତାନ ମିଶି ପାରାମେଡିକାଲ୍ ଛାତ୍ରୀ ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ନିର୍ଭୟାଙ୍କ ବିରୋଧ କରିବା ପରେ ସଇତାନମାନେ ଲୁହା ରଡ୍ ରେ ଅତି ବର୍ବରତାର ସହ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ । ନିର୍ଭୟାଙ୍କ ବନ୍ଧୁଙ୍କୁ ମାରପିଟ୍ କରି ଚଳନ୍ତା ବସ୍ ରୁ ତାଙ୍କୁ ଠେଲି ଦେଇଥିଲେ । ୭ ବର୍ଷ ତଳେ ଏହି ଘଟଣା ଦେଶବାସୀଙ୍କ ମନରେ ଗଭୀର ଆଘାତ ଦେଇଥିଲା । ସମସ୍ତେ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲିବା ପାଇଁ ଦେଖିବାକୁ ଚାହୁଁଥିବା ବେଳେ ଓକିଲ ଏପି ସିଂହ ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବାର ଦାୟିତ୍ୱ ନେଇଥିଲେ । ନିର୍ଭୟା ଦୋଷୀଙ୍କୁ ତୃତୀୟ ଥର ପାଇଁ ଡେଥ୍ ୱାରେଣ୍ଟ୍ ଜାରି ହେବା ସମୟରେ ମିଡିଆକୁ ସାକ୍ଷାତକାର ଦେଇ ଓକିଲ କହିଥିଲେ ମୁଁ ପରମାତ୍ମା ନୁହେଁ କି ଯମରାଜ ନୁହେଁ , ମୁଁ ଜଣେ ଓକିଲ ଯାହା ମୋ କ୍ଲାଇଣ୍ଟ୍ ମୋତେ କରିବାକୁ କହିବେ ତାଙ୍କୁ ସମ୍ବିଧାନ ଅନୁଯାୟୀ ସବୁ ବିକଳ୍ପ ଯୋଗାଇଦେବି । ଓକିଲ ଏପି.ସିଂହଙ୍କୁ ତାଙ୍କ ମା’ ନିର୍ଭୟା କେସ୍ ଲଢିବା ପାଇଁ କହିଥିବାର ସେ କୁହନ୍ତି । ସେ କୁହନ୍ତି , ଦୋଷୀ ଅକ୍ଷୟ ସିଂହର ପତ୍ନୀ ବିହାରର ତିହାର୍ ଜେଲ୍ ଯାଇଥିବା ବେଳେ ତାଙ୍କୁ କେହି ମୋ ଫୋନ୍ ନମ୍ବର ଦେଇଥିଲେ । ଯାହାପରେ ସେ ଆମ ଘରକୁ ଆସି ମୋ ମା’ଙ୍କ ସହ ଦେଖାହୋଇ ନ୍ୟାୟ ଭିକ୍ଷା କରିଥିଲେ । ମୁଁ ମା’ଙ୍କୁ ବୁଝାଇଥିଲି ଯେ ଏହାର ପରିଣାମ ଭୟାବହ ହୋଇପାରେ କିନ୍ତୁ ମା’ ଅକ୍ଷୟଙ୍କ ପତ୍ନୀଙ୍କୁ ନ୍ୟାୟ ଦେବା ପାଇଁ ମୋତେ କହିଥିଲେ । ଏ ହେଉଛନ୍ତି ସେହି ଓକିଲ ଯେ ନିର୍ଭୟାଙ୍କ ପୁରୁଷ ମିତ୍ର ସଙ୍ଗେ ବୁଲିବାକୁ ନେଇ ଟିପ୍ପଣୀ ଦେଇ କହିଥିଲେ ସେମାନଙ୍କ ସମାଜରେ ଏଭଳି କାମ ହେଉଥିବ , ଆମ ସମାଜରେ ଏହା ଗ୍ରହଣୀୟ ନୁହଁ ।

ଓକିଲ ଏପି ସିଂହ ନିର୍ଲଜତାର ସବୁ ସୀମା ପାର୍ କରି କହିଥିଲେ , ଯଦି ତାଙ୍କ ଭଉଣୀ କିମ୍ବା ଝିଅ ବିବାହ ପୂର୍ବରୁ ଏଭଳି ପ୍ରେମସଂପର୍କରେ ଥିଲେ ସେ ତାଙ୍କୁ ପରିବାର ସାମ୍ନାରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥାନ୍ତେ । ପରେ ଏପି ସିଂହଙ୍କ ଏହି ବୟାନ୍ ର ଖୁବ୍ ଆଲୋଚନା ହୋଇଥିଲା । ଭାରତରେ କିଛି ଦିନ ପରେ ଏହି କଥା ମଉଳୁଥିବା ବେଳେ ବିଦେଶୀ ନ୍ୟୁଜ୍ ଚ୍ୟାନେଲ୍ ରେ ଏହି କେସ୍ କୁ ନେଇ ଏକ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ ହୋଇଥିଲା ଯେଉଁଥିରେ ଓକିଲଙ୍କ ଏଭଳି ବୟାନର ଚିତ୍ର ଦେଖାଯାଇଥିଲା । ଯାହାପରେ କାଉନସିଲ୍ ଅଫ୍ ଇଣ୍ଡିଆ ଓକିଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ କହିଥିଲେ । ଏହାପରେ ଲୋକମାନଙ୍କ ମଧ୍ୟରେ ଦୋଷୀମାନଙ୍କ ସହ ଓକିଲଙ୍କୁ ବି ଫାଶି ଦେବା ପାଇଁ କଥା ଉଠିଥିଲା । ୨୦୧୩ ସେପ୍ଟେମ୍ବରରେ କୋର୍ଟରେ ନ୍ୟାୟାଧିଶଙ୍କୁ ଓଲଟା ଯବାବ୍ ଦେଇ ଖୁବ୍ ଚର୍ଚ୍ଚାରେ ରହିଥିଲେ ଏପି ସିଂହ । ସେ କହିଥିଲେ , କୋର୍ଟ ସତ୍ୟର ନୁହଁ ମିଥ୍ୟାର ପକ୍ଷ ନେଉଛନ୍ତି ।