ଆଜି ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି : ସଂନ୍ଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

65

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡି ଆଜି ଓଡିଶା ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଜଗନଙ୍କ ସହ ଆନ୍ଧ୍ର ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଆସୁଛନ୍ତି । ଲୋକସେବା ଭବନ କନଭେନସନ ସେଂଟରରେ ହେବାକୁ ଥିବା ଏହି ବୈଠକରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି । ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ ପ୍ରସଙ୍ଗ ଉପରେ ଆଲୋଚନା ଆନ୍ଧ୍ରପ୍ରଦେଶର ଫୋକସରେ ରହିଛି । କାରଣ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପ ଦ୍ୱାରା ରାୟଗଡା ଓ ଗଜପତିରେ ବହୁ ଅଂଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ତେଣୁ ଓଡିଶା ସରକାର ଟ୍ରିବ୍ୟୁନାଲଙ୍କ ରାୟ ଉପରେ କିଛିଟା ସ୍ପଷ୍ଟୀକରଣ ମାଗିଛନ୍ତି । ଯାହା ଫଳରେ ଟ୍ରିବ୍ୟୁନାଲଙ୍କ ରାୟ କାର୍ଯ୍ୟକରୀ ହୋଇପାରି ନାହିଁ । ଏ ବାବଦରେ ଓଡିଶା ସରକାରଙ୍କୁ ମନାଇବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିଛି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ସେହିପରି ପୋଲାଭରମ ମାମଲା କୋର୍ଟଙ୍କ ବିଚାରାଧୀନ ରହିଥିବାରୁ ଏହି ପ୍ରସଙ୍ଗରେ କିଛି ବୁଝାମଣା ହେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ସେପଟେ କୋଟିଆକୁ ନେଇ ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ସଂପର୍କ ତିକ୍ତ ହେବାରେ ଲାଗିଛି । ତେଣୁ ବୈଠକରେ ସେନେଇ ଆଲୋଚନା ହେବ ନା ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏହି ପ୍ରସଙ୍ଗରେ ଆନ୍ଧ୍ର ସରକାର ସେତେଟା ଆଗ୍ରହୀ ନଥିବାବେଳେ ଓଡିଶା ସରକାର ଏହି ପ୍ରସଙ୍ଗ ଉଠାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଗସ୍ତ ସୂଚୀ : –
– ଆଜି ଅପରାହ୍ଣ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ
– ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ଜଗନ ମୋହନ ରେଡ୍ଡି ସିଧା ଯିବେ ନବୀନ ନିବାସ
– ଅପରାହ୍ଣ ୪ଟା ୪୫ରେ ନବୀନ ନିବାସରେ ପହଂଚିବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ
– ସଂଧ୍ୟା ୫ଟାରେ ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା
– ଏହାପରେ ସଂଧ୍ୟା ୫ଟା ୫୦ରେ ଦୁଇ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବୈଠକ କରିବେ
– ଲୋକସେବା ଭବନ କନଭେନସନ ସେଂଟରରେ ପ୍ରାୟ ୨ ଘଂଟା ଆଲୋଚନା କାର୍ଯ୍ୟକ୍ରମ
– ସଂଧ୍ୟା ୭ଟା ୧୫ରେ ଭୁବନେଶ୍ୱର ଛାଡିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି