ମଝି ରାସ୍ତାରେ ହୁତହୁତ ହୋଇ ଜଳିଲା AP ଏକ୍ସପ୍ରେସ ଟ୍ରେନ ! ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଲାଗିଲା ନିଆଁ, ସୁରକ୍ଷିତ ଭାବେ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

25

କନକ ବ୍ୟୁରୋ : ଜଳିଗଲା ଏକ୍ସପ୍ରେସ ଟ୍ରେନ । ମଝି ରାସ୍ତାରେ ହୁତହୁତ ହୋଇ ଜଳିଲା ଏକ୍ସପ୍ରେସ ଟ୍ରେନ ।ନୂଆଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର ଗ୍ୱାଲିୟରର ବିର୍ଲା ଷ୍ଟେସନ ନିକଟରେ ହଠାତ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା । ଏଥିରେ ଟ୍ରେନର ବି-୬ ଓ ବି-୭ କୋଚ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ତେବେ ଏହି ଅଘଟଣରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।

ଟ୍ରେନରେ ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ସମସ୍ତ ଯାତ୍ରୀ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଏହାଛଡ଼ା ରେଳବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ରେଳବିଭାଗର କହିବା ଅନୁଯାୟୀ, ଟ୍ରେନଟି ବିର୍ଲା ନଗର ଷ୍ଟେସନ ପାର କରିବା ମାତ୍ରେ ହିଁ ବଗିରେ ନିଆଁ ଲାଗି ଯାଇଥିଲା । ଫଳରେ ଟ୍ରେନଟିକୁ ସେହିଠାରେ ହିଁ ରୋକି ଦିଆଯାଇଥିଲା ।