କୋଟିଆରେ ଫେଲ ମାରିଲା ସରକାରଙ୍କ ସବୁ ସତର୍କତା : ପ୍ରଶାସନର ୧୪୪ ଧାରା ସତ୍ତ୍ବେ ନିର୍ବାଚନ କରୁଛି ଆନ୍ଧ୍ର; ମୁହାଁମୁହିଁ ହେଲେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀ

ସକାଳ ୭ଟାରୁ ନେରିଡିୱାଲସାରେ ଭୋଟ ଦେଉଛନ୍ତି କୋଟିଆବାସୀ

187

କନକ ବ୍ୟୁରୋ : ପୁଣି ଜୋରଦାର ହେଲା କୋଟିଆ କଳି । ଫେଲ ମାରିଲା ସରକାରଙ୍କ ସବୁ ସତର୍କତା । ପ୍ରଶାସନର ୧୪୪ ଧାରାକୁ ଖାତିର ନକରି ଭୋଟ ଦେବାକୁ ଗଲେ କୋଟିଆବାସୀ । ଫଳରେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଛନ୍ତି । ଆନ୍ଧ୍ର ଅଧିକାରୀ ଓ ଲୋକଙ୍କ ଭିତରେ କଥା କଟାକଟି ବି ଦେଖିବାକୁ ମିଳିଛି ।

କୋଟିଆ ପଂଚାୟତର ନେରିଡ଼ିୱାଲସାରେ ଭୋଟ ଦାନ କେନ୍ଦ୍ର କରିଛି ଆନ୍ଦ୍ର । ଏଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ଓ ରାଜନେତାଙ୍କ ବାରଣକୁ ଖାତିର ନକରି ଭୋଟ ଦେବାକୁ ପହଂଚିଛନ୍ତି କୋଟିଆବାସୀ । ଆନ୍ଧ୍ରକୁ ଚେକ୍ ଦେବା ପାଇଁ କରୋନ ସଂକ୍ରମଣ କଥା କହି କୋଟିଆରେ ୧୪୪ ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ ।

ଅନ୍ୟପକ୍ଷରେ ଲୋକଙ୍କୁ ଭୋଟ ଦାନରୁ ଦୂରେଇ ରଖିବା ପାଇଁ କୋଟିଆରେ ପହଂଚି ଥିଲେ ବିଭିନ୍ନ ରାଜନୈତିକ ଦଳର ନେତା । ପ୍ରଥମ ମାଟି ଓ ପରେ ପାର୍ଟିର ନାରା ଦେଇ ଧାରଣା ଦେବା ସହ ସୀମାନ୍ତକୁ ଜଗି ରହିଥିଲେ । ତଥାପି କୋଟିଆରେ ଜୋରଜବଦସ୍ତି ପଶି ନିର୍ବାଚନ କରିଛି ଆନ୍ଧ୍ର ।