ଓଡ଼ିଶା ଆସିବା ପୂର୍ବରୁ କୋଟିଆ ପ୍ରସଙ୍ଗରେ ଅବଗତ ଅଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହ ଆଲୋଚନା ବେଳେ କ’ଣ ରଖିବେ ଆଭିମୁଖ୍ୟ ତା’ ଉପରେ ନଜର

116

କନକ ବ୍ୟୁରୋ : ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଜି ଓଡିଶା ଆସୁଥିବାବେଳେ ସବୁଠାରୁ ବିବାଦୀୟ କୋଟିଆ ପ୍ରସଙ୍ଗରେ ଆଲୋଚନା କରିବେ ନା ନାହିଁ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଆଉ ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ ଓଡିଶା ଆସିବା ପୂର୍ବରୁ କୋଟିଆକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ୱାଇଏସ ଜଗନ ମୋହନ ରେଡ୍ଡି । ଏପରିକି କୋରାପୁଟ ଜିଲ୍ଲାର କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବିଜୟନଗରମ୍ ଜିଲ୍ଲାପାଳ ।
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ସହ ଆଲୋଚନା ବେଳେ ଜିଲ୍ଲାପାଳ ସୂର୍ଯ୍ୟକୁମାରୀ କହିଥିଲେ ଯେ, କୋଟିଆ ଗ୍ରାମପୁଞ୍ଜର ୨୧ଟି ଗାଁରୁ ୧୬ଟି ଆନ୍ଧ୍ର ସହିତ ରହିବାକୁ ଇଚ୍ଛୁକ । ସେଥିପାଇଁ ଏସବୁ ଗାଁରେ ନିର୍ବାଚନ ମଧ୍ୟ କରାଯାଇଛି । କୋଟିଆ ଗ୍ରାମପୁଞ୍ଜରେ ପ୍ରାୟ ୮୭ ପ୍ରତିଶତ ଆଦିବାସୀ ସଂପ୍ରଦାୟ ରହୁଛନ୍ତି । ତେଣୁ ଏସବୁ ଅଂଚଳରେ ଆନ୍ଧ୍ର ସରକାରଙ୍କ ଯୋଜନା ପହଂଚାଇବାରେ କୌଣସି ବାଧା ନାହିଁ । ଏଥିରୁ ଜଣାପଡୁଛି ଯେ, ଓଡିଶା ଆସିବା ଆଗରୁ କୋଟିଆ ବାବଦରେ ଅବଗତ ଅଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । କିନ୍ତୁ ଏଜେଣ୍ଡାରେ ଏହି ପ୍ରସଙ୍ଗ ସ୍ଥାନ ପାଇଛି ନା ନାହିଁ ତାହା ଜଣାପଡିନାହିଁ । ଆଉ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏନେଇ ଜଗନ ମୋହନ ଆଲୋଚନା କରନ୍ତି ତାହାହେଲେ କଣ ରହିବ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ, ତା ଉପରେ ନଜର ରହିବ । ସେହିପରି କୋଟିଆ ମାମଲା ସୁପ୍ରିମକୋର୍ଟରେ ଥିବାବେଳେ ଓଡିଶା ସୀମାରେ ଆନ୍ଧ୍ରର ଅନଧିକାର ପ୍ରବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ନଜର ରହିଛି ।