କନକ ବ୍ୟୁରୋ : ଦେଶରେ ଧର୍ମାନ୍ତିକରଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭିଙ୍କ ବୟାନ ଏବେ ବିଜେପି ଶିବିରରେ ଝଡ ସୃଷ୍ଟି କରିଛି । ସେ କହିଛନ୍ତି କି କେହି ବି ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିପାରିବେ । ସେ ଆହୁରି କହିଛନ୍ତି ଯେ ଦେଶରେ ପ୍ରତ୍ୟେକଟି ଜିନିଷ ଉପରେ ସ୍ୱାଧୀନତା ରହିଛି । ମଙ୍ଗଳବାର ଦିନ ନକଭି ଇସାଇ ସଂଗଠନ ସହିତ ରାଜଧାନୀରେ ଭେଟ କରିଥିଲେ । ଏହି ଅବସରରେ ଇସାଇ ସଂଗଠନ ପକ୍ଷରୁ ନକଭିଙ୍କୁ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି ଓ ଧର୍ମାନ୍ତିକରଣକୁ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Advertisment

ଏହି ଅବସରରେ ନକଭି କହିଥିଲେ କି ଯେଉଁମାନେ ବିଜେପିକୁ ଭୋଟ ଦେଇଛନ୍ତି ଓ ଯେଉଁମାନେ ଦେଇ ନାହାଁନ୍ତି ସମସ୍ତଙ୍କ ପାଇଁ ସେ କାମ କରିବେ । ଆଜି ଆମେ ସମସ୍ତଙ୍କ ବିକାଶ ଓ ସୁରକ୍ଷା ପାଇଁ କାମ କରୁଛୁ । ଆମ ଦେଶରେ ସବୁ ଧର୍ମର ଲୋକ ବାସ କରନ୍ତି । ନକଭି କହିଥିଲେ କି ଅନେକ ଭିତରେ ଏକତା ଆମ ଦେଶର ପୁରୁଣା ସଂସ୍କୃତି ତେଣୁ ଦେଶରେ ଅସହିଷ୍ଣୁତାର କୌଣସି ସ୍ଥାନ ନାହିଁ ।

ପାକିସ୍ତାନର ନାମ ନନେଇ ସେ କହିଥିଲେ କି ଭାରତବାସୀ ଦେଖିବା ଦରକାର ପଡୋଶୀ ଦେଶରେ କଣ ଚାଲିଛି, କିନ୍ତୁ ଭାରତରେ ସେଭଳି ହେବାକୁ ଦିଆଯିବ ନାହିଁ । ଧର୍ମାନ୍ତରକୁ ନେଇ ନକଭି କହିଛନ୍ତି କି କୌଣସି ଦେଶର ବିକାଶରେ ଧର୍ମାନ୍ତିକରଣ ବାଧା ସୃଷ୍ଟି କରିପାରିବ ନାହିଁ । ଯଦି କାହାର ଧର୍ମ ପରିବର୍ତ୍ତନ କରିବାର ଇଚ୍ଛା ହେଉଛି ସେ ଧର୍ମ ପରିବର୍ତ୍ତନ କରିପାରିବ ।

ନକଭି ଇସାଇ ସଂଗଠନର କାମ ପ୍ରଶଂସା କରି କହିଛନ୍ତି କି ସେବା ପାଇଁ ମାନବିକତା ପ୍ରଥମେ ଆବଶ୍ୟକ । ଏହାସହ କରୋନା କାଳରେ ଇସାଇ ସଂଗଠନ କରୁଥିବା ସେବାକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଇସାଇ ସଂଗଠନ ପକ୍ଷରୁ ନକଭିଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ କୁହାଯାଇଛି କି ସରକାରଙ୍କ ଶିକ୍ଷାନୀତି ଦ୍ୱାରା ଅନେକ ଇସାଇ ସ୍କୁଲ ବନ୍ଦ ହୋଇପାରେ । କାରଣ ପୁରୁଣା ଶିକ୍ଷାନୀତି ଓ ନୂଆ ଶିକ୍ଷାନୀତି ମଧ୍ୟରେ ଅନେକ ପ୍ରକାର ବିରୋଧାଭାସ ରହିଛି । ଏହାସହ ସଂଗଠନକୁ ଧର୍ମାନ୍ତିକରଣ କରୁଥିବା ଅଭିଯୋଗରେ ସେମାନଙ୍କୁ ହଇରାଣ କରାଯାଉଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।