ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଏବେ ଭାରତୀୟ କ୍ରିକେଟ୍ ଜର୍ସିରେ ଦେଖିବାକୁ ମିଳିଛି। ଆପଣ ହୁଏତ ଭାବୁଥିବେ ଯେ ଜଣେ ଅଭିନେତ୍ରୀଙ୍କର କ୍ରିକେଟ୍ ଜର୍ସି ପିନ୍ଧିବାର କ’ଣ ଆବଶ୍ୟକତା ପଡ଼ିଲା? ଏହା ବି ତାଙ୍କ ଅଭିନୟର ହିଁ ଏକ ଅଂଶ। ବିରାଟଙ୍କ ପତ୍ନୀ ଅନୁଷ୍କା ପରଦାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟିକା ଝୁଲନ ଗୌସ୍ୱାମୀଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଝୁଲନଙ୍କ ଆତ୍ମଜୀବନୀ ଉପରେ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ଲିଡ୍ ରୋଲରେ ରହିଛନ୍ତି ଅନୁଷ୍କା ।
ଫଟୋରେ ଅନୁଷ୍କା କୋଲକାତାର ଇଡେନ୍ ଗାର୍ଡେନରେ ଗୌସ୍ୱାମୀଙ୍କ ସହ ବୁଲୁଥିବାର ଦେଖିବାକୁ ମିଳିଛି । କେହି କେହି ଏହାକୁ ଚଳଚ୍ଚିତ୍ରର ବିଜ୍ଞାପନ ବୋଲି କହିଥିବା ବେଳେ ଆଉ କେହି ଏହାକୁ ପ୍ରୋମୋ ସୁଟ୍ ବୋଲି କହୁଛନ୍ତି । ଫଟୋରେ ଅନୁଷ୍କା ଟିମ୍ ଇଣ୍ଡିଆର କ୍ରିକେଟ୍ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି।
ରିପୋର୍ଟ ମୁତାବକ, ଅନୁଷ୍କା ଅପରାହ୍ନ ୪ଟା ପର୍ଯ୍ୟନ୍ତଏହି ସୁଟ୍ କରିଥିବା ବେଳେ ପରବର୍ତ୍ତୀ ସୁଟ୍ ଜାନୁଆରି ୨୫ ତାରିଖରେ କରିବାକୁ ସ୍ଥିର ହୋଇଛି। ଅନୁଷ୍କାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ତାପସୀ ପନ୍ନୁ ବି ଅଭିନୟ କରିବେ । ଶେଷ ଥର ପାଇଁ ଅନୁଷ୍କା ‘ଜିରୋ’ ଚଳଚ୍ଚିତ୍ରରେ ନଜର ଆସିଥିଲେ, ଯାହାକି ବକ୍ସ ଅଫିସରେ ସେତେଟା ସଫଳତା ପାଇ ପାରି ନଥିଲା। ୨୦୧୭ ମସିହାରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଇଟାଲିରେ ବିବାହ କରିଥିଲେ।