ମୋଦୀ କ୍ୟାବିନେଟରେ ଏଥର ଅନୁରାଗଙ୍କ ପାଇଁ ନାହିଁ ସ୍ଥାନ । ବିଜେପି ସଙ୍ଗଠନରେ ମିଳିପାରେ ଗୁରୁ ଦାୟିତ୍ୱ ।

1,835

କନକ ବ୍ୟୁରୋ: ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ । ଶପଥ ଗ୍ରହଣ ପୂର୍ବରୁ ମୋଦୀ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହିତ ବୈଠକ କରିଛନ୍ତି । ଅମିତ ଶାହାଙ୍କ ସହ ଜେପି ନଡ୍ଡା, ରାଜନାଥ ସିଂହ, ନିର୍ମଳା ସୀତାରମଣ, ନୀତିନ ଗଡକରୀ, ଏସ ଜୟଶଙ୍କର, ପିୟୁଷ ଗୋଏଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ନେତା ଏହି ବୈଠକରେ ସାମିଲ ହେଇଥିଲେ । ଯେଉଁମାନେ କି ଆଜି ମୋଦୀ କ୍ୟାବିନେଟରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆଜି ମୋଦୀଙ୍କ ବୈଠକରେ ଯେଉଁ ଚର୍ଚ୍ଚିତ ନେତାମାନେ ସାମିଲ ହେଇନାହାଁନ୍ତି, ତାଙ୍କ ଭିତରୁ ଜଣେ ହେଲେ ଅନୁରାଗ ଠାକୁର ।

ଗତ ମୋଦୀ ସରକାରରେ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ଥିଲେ ଅନୁରାଗ ଠାକୁର । ତେବେ ପ୍ରଥମ ଦଫାରେ ତାଙ୍କୁ ଅର୍ଥ ବିଭାଗର ରାଜ୍ୟମନ୍ତ୍ରୀ ରହିଥିଲେ । ପରେ ତାଙ୍କୁ ସୂଚନା ଓ ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲା । ହେଲେ ଏଥର କିନ୍ତୁ ତାଙ୍କୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିଛି । କୁହାଯାଉଛି ଅନୁରାଗ ଠାକୁରଙ୍କୁ ମନ୍ତ୍ରୀମଣ୍ଡଳରୁ ହଟେଇ, ଦଳର କିଛି ବଡ ଦାୟିତ୍ୱ ଦେଇପାରେ ବିଜେପି ।

ଅନୁରାଗ ଠାକୁର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଜ୍ୟ ହିମାଚଳ ପ୍ରଦେଶରୁ ଆସନ୍ତି । ତେବେ ନଡ୍ଡାଙ୍କ କାର୍ଯ୍ୟକାଳ ଚଳିତ ମାସରେ ହିଁ ଶେଷ ହେଉଛି । ଅନ୍ୟପଟେ ନଡ୍ଡାଙ୍କୁ ଏଥର ମୋଦୀ କ୍ୟାବିନେଟରେ ମଧ୍ୟ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ କୁହାଯାଉଛି, ବିଜେପିକୁ ଖୁବଶୀଘ୍ର ତାର ନୂଆ ଅଧ୍ୟକ୍ଷ ମିଳିପାରେ । ତେଣୁ ଅନୁରାଗ ଠାକୁରଙ୍କୁ ବିଜେପିର ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏଥର ଲୋକସଭା ନିର୍ବାଚନରେ ଅନୁରାଗ ଠାକୁର ହମିରପୁର ଲୋକସଭା ଆସନରୁ ବଡ ବ୍ୟବଧାନରେ ବିଜୟୀ ହେଇ ନିର୍ବାଚିତ ହେଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ପାଖାପାଖି ୨ ଲକ୍ଷରୁ ଅଧିକ ଭୋଟରେ ହରାଇଛନ୍ତି ଅନୁରାଗ ।