୪୦ ବର୍ଷରେ ସମ୍ବାଦ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱନକ୍ଷତ୍ର ଉତ୍ସବ । ଅନୁରାଗ ଠାକୁର କହିଲେ, ସୋସିଆଲ ମିଡିଆରେ ମିଛ ଖବର କରୁଛି ସମାଜର କ୍ଷତି । ବିଚାର ପାର୍ଥକ୍ୟକୁ ସମ୍ମାନ କରି ଶିଖିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

119

କନକ ବ୍ୟୁରୋ: ୪୦ ବର୍ଷ ଧରି ଓଡିଶାବାସୀଙ୍କ ସ୍ୱର ପାଲଟିଛି ସମ୍ବାଦ । କାଲି ସମ୍ବାଦ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଆଉ ଏହାର ଅବ୍ୟବହିତ ପୂର୍ବରୁ ଆଜି ଆୟୋଜିତ ହୋଇଛି ବାର୍ଷିକ ଉତ୍ସବ । କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆରେ ମିଛ ଖବରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, ସୋସିଆଲ ମିଡିଆରେ ପ୍ରସାରିତ ମିଛ ଖବର ପ୍ରସାରଣ ସମାଜର ବହୁ କ୍ଷତି କରିଥାଏ । ସେହିପରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ମତ ପାର୍ଥକ୍ୟ ଥାଇପାରେ କିନ୍ତୁ ବିଚାର ପାର୍ଥକ୍ୟକୁ ଆମେ ସମ୍ମାନ କରି ଶିଖିବା ଦରକାର ।

ଖାଲି ସେତିକି ନୁହେଁ, ଏହି ଅବସରରେ ରାଷ୍ଟ୍ର ଗଠନରେ ଗଣମାଧ୍ୟମର କେମିତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ବଖାଣିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । କହିଛନ୍ତି, ଗାନ୍ଧିଜୀ ସାମ୍ବାଦିକତାକୁ ସେବାର ମାଧ୍ୟମ ବୋଲି ମାନୁଥିଲେ । କିନ୍ତୁ କିଛି ଲୋକ ସାମ୍ବାଦିକତାକୁ ସମ୍ପତି କରିବାକୁ ଚେଷ୍ଟା କରୁଛନ୍ତି । ଏଥିସହ ସୋସିଆଲ ମିଡିଆରେ ପ୍ରସାରିତ ମିଛ ଖବର ପ୍ରସାରଣ ସମାଜର ବହୁ କ୍ଷତି କରିଥାଏ ବୋଲି କହିବା ସହ ସେ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ସାମ୍ବାଦିକତାରେ ଆଞ୍ଚଳିକ ଭାଷାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ସେପଟେ ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ମତ ପାର୍ଥକ୍ୟ ଥାଇପାରେ, ଆଲୋଚନା ସମାଲୋଚନା ହୋଇପାରେ । କିନ୍ତୁ ବିଚାର ପାର୍ଥକ୍ୟକୁ ଆମେ ସମ୍ମାନ କରି ଶିଖିବା ଦରକାର । ଏଥିସହ ସମ୍ବାଦର ନୂଆ ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ନେଇ କହିଛନ୍ତି, ୩୪ ବର୍ଷର ଜଣେ ନୂଆ ପୀଢ଼ିର ଓଡି଼ଆ ଆଗାମୀ ଶତାବ୍ଦୀ ଧରି ଏ ଖବରକାଗଜ ପାଇଁ ଦିଗଦର୍ଶନ ଦେବ । ଏହା ଓଡିଆ ଭାବେ ମୋ ପାଇଁ ଆତ୍ମବିଶ୍ୱାସର ବିଷୟ ।

ଏହି ଅବସରରେ ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ ଅଭିଭାଷଣ ରଖିଥିଲେ । କହିଥିଲେ, ସମ୍ବାଦ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ଅଭିଯାନ, ଏକ ଆନ୍ଦୋଳନ । ସେହିପରି ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଥିଲେ ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ । ତାଙ୍କ ସହିତ ସମ୍ବାଦର ସମ୍ପାଦକ (ଫିଚର) ଗୌରହରି ଦାସ ଅତିଥିମାନଙ୍କର ପରିଚୟ ଦେବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସମ୍ବାଦର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରିଛନ୍ତି ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।