ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ଡେଙ୍କ ଦେହାନ୍ତ, ହୃଦଘାତ କାରଣରୁ ୫୧ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ସୂଚନା

3,246

କନକ ବ୍ୟୁରୋ : ଟେଲିଭିଜନ ଦୁନିଆରୁ ପୁଣି ଆସିଲା ଦୁଃଖ ଖବର । ବୁଧବାର ସକାଳେ ଟେଲିଭିଜନ ତାରକା ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ମାତ୍ର କିଛି ଘଣ୍ଟା ବ୍ୟବଧାନରେ ‘ଅନୁପମା’ ଧାରାବାହିକର ପ୍ରସିଦ୍ଧ କଳାକାର ନିତେଶ ପାଣ୍ଡେଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ ୫୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଛୁଟି ମନାଉଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ । ହେଲେ ମାତ୍ର କେଇଘଣ୍ଟା ପରେ ମୁମ୍ବାଇ ନିକଟବର୍ତ୍ତୀ ଇଗତପୁରୀ ଠାରେ ତାଙ୍କ ମୃତ୍ୟୁ ହୋଇଛି । ନିତେଶ ପାଣ୍ଡେଙ୍କ ମୃତ୍ୟୁ ଟେଲିଭିଜନ ତାରକାଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି । ଗତ ୨୫ ବର୍ଷ ହେବ ସେ ଟେଲିଭିଜନ ଦୁନିଆରେ କାମ କରିବା ସହ ଜଣେ ଲୋକପ୍ରିୟ କଳାକାର ଭାବେ ନିଜର ଛବି ତିଆରି କରିପାରିଥିଲେ ।

ନିତେଶ ପାଣ୍ଡେ ୧୯୯୦ ମସିହାରେ ଥିଏଟରରୁ ନିଜୟ ଅଭିନୟ ଜୀବନ ଆରମ୍ଭ କରିଥିଲେ । କେବଳ ଟେଲିଭିଜନ ନୁହେଁ ସେ କିଛି ହିନ୍ଦି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ହିନ୍ଦି ସିନେମା ‘ଓମ୍ ଶାନ୍ତି ଓମ’ରେ ସେ ଶାହାରୁଖ ଖାନଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହା ଫିଲ୍ମ ବଧାଇ ଦୋ, ହଣ୍ଟର, ଦବଙ୍ଗ-୨, ବାଜି, ମେରେ ୟାର କି ସାଦି ହେ ଭଳି ସିନେମାରେ ଅଭିନୟ କରିଥିଲେ ।

କେବଳ ଅଭିନୟ ନୁହେଁ ନିତେଶ ନିଜର ସୁନ୍ଦର କଣ୍ଠ ପାଇଁ ମଧ୍ୟ ବେଶ୍ ପରିଚିତ ଥିଲେ । ଏହାସହ ତାଙ୍କ ନିଜର ମଧ୍ୟ ଏକ ପ୍ରଡକ୍ସନ ହାଉସ୍ ରହିଛି । ଯାହାର ନାମ ଡ୍ରିମ କାଷ୍ଟଲ ପ୍ରଡକ୍ସନ । ଏଥିରେ ସେ କେବଳ ରେଡିଓ ପାଇଁ ଶୋ ପ୍ରସ୍ତୁତ କରୁଥିଲେ ।