ଅନୁପଙ୍କ ଗିରଫଦାରୀ ପରେ ଛତିଶଗଡ ପୋଲିସର ସୂଚନା । ମାଆ-ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ; ପ୍ରମାଣ ପାଇଛି ପୋଲିସ

631

କନକ ବ୍ୟୁରୋ: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫଦାରୀ ପରେ ଛତିଶଗଡ ପୋଲିସର ବଡ ସୂଚନା । ଛତିଶଗଡ ପୋଲିସର କହିବା ଅନୁଯାୟୀ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ । ଏବଂ ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୋଲିସ ପ୍ରମାଣ ପାଇଥିବା ସୂଚନା ମିଳିଛି । ଏନେଇ ଅପରାହ୍ନ ଛତିଶଗଡ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇପାରେ ।

ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ଷଡଯନ୍ତ୍ର ଓ ତଥ୍ୟ ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ । ତାଙ୍କ ବିରୋଧରେ ୩୦୨, ୧୨୦ ବି, ଓ ୨୦୧ ଦଫା ଲଗାଇଛି ଛତିଶଗଡ ପୋଲିସ୍ । ୨୦୧୬ରେ ଝାରସୁଗୁଡା –ଛତିଶଗଡ ସୀମାନ୍ତରେ ମା ଓ ଝିଅଙ୍କ ଡବଲ ମର୍ଡର ହୋଇଥିଲା । ବୁଧବାର ରାତିରେ ପୋଲିସ ତାଙ୍କୁ ଝାରସୁଗୁଡାରୁ ଉଠାଇନେବା ପରେ ଦିନତମାମ ରାୟଗଡ ଜିଲ୍ଲା ଚକ୍ରଧରପୁର ଥାନାରେ ମାରାଥନ ଜେରା କରିଥିଲା ।

ଛତିଶଗଡ ପୋଲିସ ଅନୁପଙ୍କୁ ନେଇ ପଚରାଉଚରା କରୁଥିବାବେଳେ ଏପଟେ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବିଦା କରିବା ସହ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ସେପଟେ ଏହି ଡବଲ ମର୍ଡର ମାମଲାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ଏସପି କହିଛନ୍ତି ।