ରାୟଗଡ କୋର୍ଟରେ ପହଚିଂଲେ ଅନୁପ ସାଏ ଓ ଡ୍ରାଇଭର । ମାଆ-ଝିଅ ହତ୍ୟାକାଣ୍ଡ ମାମଲାରେ ଉଭୟଙ୍କ ରିମାଣ୍ଡ ଆବେଦନର ଶୁଣାଣୀ କରିବେ କୋର୍ଟ

243

କନକ ବ୍ୟୁରୋ : ରାୟଗଡ କୋର୍ଟରେ ପହଚିଂଲେ ଅନୁପ ସାଏ ଓ ଡ୍ରାଇଭର । ୨୦୧୬ ମାଆ-ଝିଅ ହତ୍ୟାକାଣ୍ଡ ମାମଲାରେ ଉଭୟଙ୍କ ରିମାଣ୍ଡ ଆବେଦନର ଶୁଣାଣୀ କରିବେ କୋର୍ଟ । ନାର୍କୋ ଟେଷ୍ଟ ନେଇ ହୋଇଥିବା ଆବେଦନ ଉପରେ ବି ଶୁଣାଣି ହେବ । ଉଭୟଙ୍କୁ ରିମାଣ୍ଡରେ ନେଇ ସାମନା ସାମନି ଜେରା କରିବ ପୁଲିସ । ହତ୍ୟାକାଣ୍ଡ ନେଇ ଅଧିକ ତଥ୍ୟ ଓଗାଳିବ । ହତ୍ୟାକାଣ୍ଡରେ ତୃତୀୟ ବ୍ୟକ୍ତିର ସଂପୃକ୍ତି ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଏନେଇ ଅନୁପ ଓ ଡ୍ରାଇଭରଙ୍କୁ ପଚରାଉଚରା କରିବ ପୁଲିସ । ସେପଟେ ମାଆ –ଝିଅ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋର ମାଲିକାନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ପୋଲିସର ସୂଚନା ଅନୁଯାୟୀ ଏହି ବୋଲେରୋ ଗାଡିକୁ ୨୦୧୫ରେ ସୁନୀଲ ସାଇଦେଓଙ୍କୁ ବିକ୍ରି କରିଦେଇଥିଲେ ଅନୁପ ସାଏ ।

ଆଉ ତାପରେ ୨୦୧୭ରେ ପୁଣି ସୁନୀଲ ସେହି ଗାଡିକୁ ଆଉଜଣଙ୍କୁ ବିକ୍ରି କରିଥିଲେ । ହେଲେ ବର୍ତମାନ ଗାଡିଟି କାହା ମାଲିକାନାରେ ରହିଛି ତାହା ସ୍ପଷ୍ଟ ହୋଇପାରିନି । ଏନେଇ ଅଧିକ ତଦନ୍ତ କରୁଛି ଛତିଶଗଡ ପୋଲିସ୍ । ଅନ୍ୟପଟେ ଗାଡିକୁ ବିକ୍ରି କରିବା ପରେ ୨୦୧୬ରେ ଅନୁପ ସାଏ କିଭଳି କଳ୍ପନା ଦାସ ଓ ବବଲିର ହତ୍ୟାକାଣ୍ଡରେ ବ୍ୟବହାର କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ଅନୁପଙ୍କ ବଡ ଭାଇ ପ୍ରମୋଦ କୁମାର ସାଏ ତାଙ୍କ ଭାଇ ଅନୁପ ସାଏଙ୍କ ନାଁରେ ମିଥ୍ୟା ଓ ଅତିରଞ୍ଜିତ ଖବର ପ୍ରସାରିତ ହେଉଥିବା ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ତାଙ୍କର ପୁରା ପରିବାର ମାନସିକ ଯନ୍ତ୍ରଣା ଓ ଭୟରେ ଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବ୍ରଜରାଜନଗର ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି ପ୍ରମୋଦ । ଏଭଳି ମିଥ୍ୟା ଖବର ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରେସ କାଉଁସିଲ ଅଫ ଇଣ୍ଡିଆ, ଓଏଚଆରସି, ଝାରସୁଗୁଡା ଜିଲ୍ଳାପାଳ ଓ ଝାରସୁଗୁଡା ଏସପିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ପ୍ରମୋଦ ।