ରହସ୍ୟ ଖୋଜିବାକୁ ଛତିଶଗଡରୁ ଓଡିଶା । ମର୍ଡର ପ୍ଲଟର ମୂଳକୁ ଯିବାକୁ ଓଡିଶା ଆସୁଛି ଛତିଶଗଡ ପୋଲିସ । ଓଡିଶାର ବିଭିନ୍ନ ସ୍ଥାନରେ ଖୋଳତାଡ କରି ବାହାର କରିବେ ସାଏ ସତ

656

କନକ ବ୍ୟୁରୋ: ଓଡିଶାରେ ଖୋଜା ହେବ ସୈତାନର ସତ । ଗିରଫ ଅନୁପ ସାଏଙ୍କ ସୈତାନୀକାଣ୍ଡ ବାବଦରେ ହେବ ଅଧିକ ଖୋଳତାଡ । ହତ୍ୟାକାଣ୍ଡର ଲିଙ୍କ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଜୋରଦାର ହେବ ଛାନଭିନ । ଏଥିପାଇଁ ଓଡିଶା ଆସିବ ଛତିଶଗଡ ପୋଲିସ । ତଦନ୍ତ ପାଇଁ ପର୍ଯ୍ୟାୟକ୍ରମେ ଛତିଶଗଡର ୩ଟି ଟିମ ଓଡିଶା ଆସି ଖୋଳତାଡ କରିବ । ବିଭିନ୍ନ ସ୍ଥାନ ବୁଲି ଯାଞ୍ଚ କରିବ ଛତିଶଗଡ ପୋଲିସର ୩ଟି ସ୍ୱତନ୍ତ୍ର ଟିମ୍ । ହତ୍ୟାକାଣ୍ଡର ସମ୍ପୃକ୍ତି ସହ ବିଭିନ୍ନ ଦିଗ ଉପରେ କରାଯିବ ତଦନ୍ତ । ତେବେ ଓଡିଶା ଆସି ଖୋଳତାଡ କରିବା ନେଇ ସୂଚନା ଦେଇଛନ୍ତି ରାୟଗଡ ଏସପି ।

ତେବେ ଦୁଇଦିନ ତଳେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଥିଲେ । ଏକ ହତ୍ୟାକାଣ୍ଡ ମାମଲାରେ ଛତିଶଗଡ ପୁଲିସ ଅନୁପଙ୍କୁ ଉଠାଇ ନେବା ପରେ କାଲି ହତ୍ୟାକାଣ୍ଡ ପଛରେ ଅନୁପଙ୍କ ହାତ ଥିବା ଗୁମର ଫିଟାଇଥିଲା । ତେବେ ହତ୍ୟାକାଣ୍ଡ ନେଇ ରାୟଗଡ ପୋଲିସ ଯେତେବେଳେ ସାମ୍ବାଦିକ ସମ୍ମିଳନୀ କରି ଅପରାଧର କାହାଣୀ ସାମ୍ନାକୁ ଆଣିଲା ସେତେବେଳେ ସମସ୍ତଙ୍କ ହୋସ୍ ଉଡି ଯାଇଥିଲା । ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଜଣେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କେତେ ନୃଶଂସ ହୋଇପାରେ ତାହା ସାମ୍ନାକୁ ଆସିଥିଲା ।

ଛତିଗଡ ପୋଲିସର କହିବା ଅନୁସାରେ, ଅନୁପ ସାଏ ନିଜର ଦୋଷ ସ୍ୱୀକାର କରିବା ସହ ଅପରାଧର ପ୍ରତିଟି ତଥ୍ୟ ଦେଇଛନ୍ତି । ସେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ଲୁହା ରଡରେ ନିର୍ମମ ଭାବେ ହତ୍ୟା କରିବା ପରେ ରାସ୍ତା ଉପରେ ପକାଇ ଦେଇଥିଲେ । ଏବଂ ତାଙ୍କ ନିର୍ଦ୍ଦେଶରେ ବୋଲେରୋ ଡ୍ରାଇଭର ବର୍ମନ ଟପ୍ପୋ ମରଶରୀର ଉପରେ ବାରମ୍ବାର ଗାଡି ଚଢାଇ ଥିଲା । ଦୁଇ ମୃତାଙ୍କ ପରିଚୟ ଲୁଚାଇବା ପାଇଁ ଏଭଳି କରିଥିଲା ବର୍ମନ ।

ସେପଟେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ । ଗତକାଲି ଡ୍ରାଇଭର ଘର ଉପରେ ଅଧ ରାତିରେ ଚଢାଉ କରି ବର୍ମନ ଟପୋକୁ ଗିରଫ କରିଛି ଛତିଶଗଡ ପୋଲିସ । ରାୟଗଡ ଚକ୍ରଧରନଗର ଥାନାର ଏକ ୬ ଜଣିଆ ଟିମ୍ ବ୍ରଜରାଜନଗର ଆସି ବର୍ମନ ଟପୋର ବାଘରାଚକା ଗାଁରୁ ତାକୁ ଉଠେଇ ନେଇଛି । କଳ୍ପନା ଓ ପ୍ରଭାତୀଙ୍କ ହତ୍ୟାକାଣ୍ଡର ପୁରା ପ୍ଲଟ ଜାଣିଛି ଅନୁପ ସାଏଙ୍କ ଡ୍ରାଇଭର । ଆଉ ଏସବୁ ଘଟଣା ପଠରେ ଆହୁରି କଣ ରହିଛି ରହସ୍ୟ ତାର ଅଧିକ ତଦନ୍ତ ପାଇଁ ଓଡିଶା ଆସୁଛି ଛତିଶଗଡ ପୋଲିସ ଟିମ୍ ।