ଅନୁଗୁଳରେ ଅଭାବନୀୟ ଘଟଣା । ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ ଏକ ଘର ଭିତରେ ୧୦ ଘଂଟା କାଳ ବନ୍ଦୀ ରଖିଲା ପ୍ରେମିକ

719

କନକ ବ୍ୟୁରୋ: ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ ଅଟକ ରଖିଲା ପ୍ରେମିକ । ଏଭଳି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାରୁ । ବଡ଼ କଥା ହେଉଛି ଏକ ବନ୍ଦ କୋଠରୀରେ ଯୁବତୀଙ୍କୁ ୧୦ ଘଂଟାରୁ ଅଧିକ ସମୟ ଧରି ବନ୍ଦ କରି ରଖିଥିଲା ସଂପୃକ୍ତ ଯୁବକ । ମିଳିଥିବା ସୂଚନା ଅନୁସାରେ ବଳରାମ ପ୍ରସାଦ ଗାଁ ପାଟଣା ସାହିର ପଂଚୁନାଥ ଦେହୁରୀଙ୍କ ପୁଅ, ଚକ୍ରଧର ମହାପାତ୍ର ସେହି ଗାଁର ଜଣେ ଯୁବତୀଙ୍କୁ ଗତ ୧୦ବର୍ଷ ହେଲା ପ୍ରେମ କରି ଆସୁଥିଲେ । ହେଲେ ଚକ୍ରଧରଙ୍କ ବାହାଘର ଅନ୍ୟତ୍ର ହେଉଥିବା ଖବର ପାଇ, ପ୍ରେମିକଙ୍କ ପାଖକୁ ପହଂଚିଥିଲେ ଏହି ଯୁବତୀ ।

ଆଉ ଠିକ୍ ଏତିକି ବେଳେ ଘଟିଛି ଏଭଳି ଏକ ଘଟଣା । ଚକ୍ରଧର ମହାପାତ୍ର ସ୍ଥାନୀୟ ରାଜବୀ ଗାନ୍ଧୀ ସେବା କେନ୍ଦ୍ରରେ ପିଅନ ଭାବେ କାର୍ଯ୍ୟ କରନ୍ତି । ଆଉ ଯୁବତୀ ଜଣକ ଏହି କେନ୍ଦ୍ରକୁ ପହଂଚି ଚନ୍ଦ୍ରଧରଙ୍କୁ ବାହାଘର ପାଇଁ ବୁଝାଇବାକୁ ଉଦ୍ୟମ କରିଥିଲେ । ସକାଳ ୮ଟାରୁ ଯୁବତୀଙ୍କୁ ବନ୍ଦ କୋଠରୀରେ ରଖିଥିବା ବେଳେ ସନ୍ଧ୍ୟା ୬ଟାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଥିବା ଏକ ପଡ଼ିଆରେ ପିଲାମାନେ ଫୁଲବଲ ଖେଳୁଥିବା ବେଳେ ଯୁବତୀଙ୍କ ପାଟି ଶୁଣିବାକୁ ପାଇଥିଲେ । ଏ ସଂପର୍କରେ ଗାଁ ଲୋକଙ୍କୁ ଖବର ଦେବା ପରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।