ଗାଁ ପାଇଁ ଗୌରବ ଗଣେଶ…ସରକାରୀ ଚାକିରି ଛାଡି କରୁଛନ୍ତି ଚାଷ…୧୦ ଏକର ଟାଙ୍ଗରା ଭୂଇଁରେ ଫଳାଉଛନ୍ତି ସୁନାର ଫସଲ

625

କନକ ବ୍ୟୁରୋ: ସରକାରୀ ଚାକିରି ଛାଡି ଆରମ୍ଭ କଲେ ଚାଷ । ପାଖାପାଖି ୧୦ ଏକର ଟାଙ୍ଗରା ଭୂଇଁରେ ପନିପରିବା ଚାଷ କରି ଚାଷୀମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ୬୦ ବର୍ଷର ବୃଦ୍ଧ । ଏମିତି ଜଣେ ଚାଷୀ ହେଲେ ଅନୁଗୁଳ ବ୍ଲକ୍ ନନ୍ଦପୁର ଗାଁର ଗଣେଶ ନାୟକ । ଯୁବକ ଅବସ୍ଥାରେ ଗଣେଶ ବରଗଡ ତହସିଲରେ ଜଣେ ସରକାରୀ କର୍ମଚାରୀ ଭାବେ ନିଯୁକ୍ତ ହୋଇଥିଲେ ମାତ୍ର ଏଥିରେ ତାଙ୍କର ମନ ଲାଗି ନଥିଲା । କିପରି ଚାଷ କରି ଜଣେ ପ୍ରତିଷ୍ଠିତ ଚାଷୀ ହୋଇପାରିବେ ବାସ୍ ଏହି ସ୍ୱପ୍ନକୁ ସେ ନିଜ ମନରେ ପିଲାଟି ଦିନରୁ ହିଁ ବାନ୍ଧି ରଖିଥିଲେ । ଆଉ ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ଚାକିରିରୁ ବି ମୁହଁ ଫେରାଇ ଆଣିଥିଲେ ।

ଗଣେଶ ପ୍ରଥମେ ଗାଁଠାରୁ ପ୍ରାୟ ୫ କିଲୋମିଟର ଦୂର ଡିମ୍ବିରିପାଳରେ ଥିବା କିଛି ଟାଙ୍ଗରା ଭୂଇଁ କିଣି ଚାଷ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଗଣେଶ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜ ଚାଷ ଜମିକୁ ଦଶ ଏକର ପର୍ଯ୍ୟନ୍ତ ବଢାଇ ପାରିଥିଲେ । ତେବେ ଗଣେଶ ନିଜ ଜମିରେ ବର୍ଷସାରା ପୋଟଳ, ବାଇଗଣ, ବିଲାତି, କଦଳୀ ଭଳି ଅନେକ ପନିପରିବା ଚାଷ କରୁଛନ୍ତି । ଚାକିରି ପଛରେ ନ ଗୋଡାଇ ଚାଷ କାର୍ଯ୍ୟ କରିବାକୁ ସେ ନିଜର ତିନି କଲେଜ ପଢୁଆ ପୁଅଙ୍କୁ ବି ପ୍ରବର୍ତ୍ତାଇଥିଲେ । ଆଉ ସେମାନେ ମଧ୍ୟ ବାପାଙ୍କ ସହ ମିଶି ଚାଷ କାମ କରି ଟଙ୍କା ରୋଜଗାର କରୁଛନ୍ତି ।

ଅନ୍ୟ ପକ୍ଷରେ ନିଜ ଚାଷ ଜମିରେ ପ୍ରତ୍ୟେକ ଦିନ ୨୦ରୁ ୨୫ ଜଣଙ୍କୁ କାମ ଦେଇ ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି ଗଣେଶ । ତେବେ ସବୁବେଳେ ଚାକିରି ପଛରେ ନ ଧାଇଁ ଯୁବପିଢୀ ଚାଷକୁ ଆପଣାଇଲେ ଅଧିକ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଅନୁଗୁଳର ସଫଳ ଚାଷୀ ଗଣେଶ ନାୟକ ।