ବିଦେଶ ଯିବ ନାହିଁ ବ୍ୟାଗ୍ ବିକାଳିର ପୁଅ !! ନାସା ନାଁରେ ଠକେଇ, ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଓ ସରକାରୀ କଳ : କିନ୍ତୁ ନାସ୍ତିକବାଣୀ ଶୁଣାଇଲା ବୈଦେଶିକ ମନ୍ତ୍ରଣାଳୟ

2,008

କନକ ବ୍ୟୁରୋ : ନାସାକୁ ଯିବେ ବୋଲି ଶୁଭ୍ରାଂଶୁଙ୍କ ପାଦ ତଳେ ଲାଗୁ ନଥିଲା। ବିଶ୍ୱର ସର୍ବବୃହତ୍‌ ଅନ୍ତରୀକ୍ଷ ଗବେଷଣା ସଂସ୍ଥାକୁ ପୁଅ ଯିବ ଭାବି ବାପା, ମା ବି ଖୁସିରେ ଅଧୀର ହୋଇ ପଡ଼ିଥିଲେ। ସାଙ୍ଗ ସାଥୀ ଓ ସ୍କୁଲର ଶିକ୍ଷକ, କର୍ମଚାରୀ ଗର୍ବରେ ଫାଟି ପଡ଼ୁଥିଲେ। ଆମେରିକା ଯିବା ପାଇଁ ଟଙ୍କା ବି ଯୋଗାଡ଼ ଚାଲିଥିଲା। କିନ୍ତୁ, ବିଦେଶ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟରୁ ଯେଉଁ ନାସ୍ତିବାଚକ ସନ୍ଦେଶ ଆସିଛି, ତାହା ଶୁଭ୍ରାଂଶୁଙ୍କ ପାଦ ତଳୁ ମାଟି ଖସାଇ ଦେଇଛି। ଯେଉଁ ଚିଠି ପାଇଁ ଶୁଭ୍ରାଂଶୁ ସାରା ରାଜ୍ୟରୁ ଶୁଭେଚ୍ଛା ସାଉଁଟିଥିଲେ, ସେହି ଚିଠି ନାସାରୁ ଆସିଛି କି ନାହିଁ ବୋଲି ତାହା ବୈଦେଶିକ ମନ୍ତ୍ରଣାଳୟ ସ୍ପ‌ଷ୍ଟ କରିପାରୁ ନାହିଁ। ଫଳରେ ଶୁଭ୍ରାଂଶୁଙ୍କ ନାସା ସ୍ୱପ୍ନ କେବଳ ଭାଙ୍ଗିରୁଜି ଚୂରମାର୍‌ ହୋଇନାହିଁ, ବରଂ ନାସା ନାମରେ ଶୁଭ୍ରାଂଶୁଙ୍କ ସହ ଖେଳିଲା କିଏ ଓ କାହିଁକି ତାକୁ ନେଇ ସଂଶୟ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଅନୁଗୁଳ ସହର ହୁଲୁରିସିଂହା ଦୋଳମଣ୍ଡପ ସାହିର ବ୍ୟାଗ୍‌ ସିଲେଇ କାରିଗର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁ କିଛି ଦିନ ତଳେ ଏକ ରୋବୋଟିକ୍‌ ଡ୍ରୋନ୍‌ ତିଆରି କରିଥିଲେ। ଯାହାର ନାମ ରଖିଥିଲେ ‘ମାଭିକ୍‌। ଏହା ଏମିତି ଏକ ଯନ୍ତ୍ରାଂଶ ଯାହା ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ବିଭିନ୍ନ ସେବା ଯୋଗାଇ ଦେଇପାରିବ ବୋଲି ଶୁଭ୍ରାଂଶୁ ଦାବି କରିଥିଲେ। ଏହି ପ୍ରକଳ୍ପର ବିଶଦ ବିବରଣୀ ନାସାକୁ ପଠାଇଲା ପରେ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମେଲ୍‌ ଆଇଡିରେ ନାସା ଠିକଣାରୁ ଶୁଭ୍ରାଂଶୁଙ୍କ ନାମରେ ଆମେରିକା ଯିବା ପାଇଁ ଡାକରା ଆସିଥିଲା। ସେଥିରେ ଦର୍ଶାଯାଇଥିଲା, ବିଶ୍ୱର ୧୩୮ଟି ଦେଶର ପ୍ରକଳ୍ପ ମଧ୍ୟରୁ ଶୁଭ୍ରାଂଶୁଙ୍କ ପ୍ରକଳ୍ପ ନାସା ବୈଜ୍ଞାନିକଙ୍କ ମନକୁ ଛୁଇଁଛି। ନଭେମ୍ବର ୨୮ତାରିଖରୁ ଆମେରିକା ୱାଂଶିଟନ୍‌ ଡିସିରେ ହେବାକୁ ଥିବା ବିଶ୍ୱସ୍ତରୀୟ ନାସା ସ୍ପେସ୍‌ ସେଟଲମେଣ୍ଟ୍‌ ପ୍ରତିଯୋଗିତା-୨୦୨୦ରେ ଭାଗ ନେବାକୁ ତାଙ୍କୁ କୁହାଯାଇଥିଲା। ଆମେରିକାରେ ପହଞ୍ଚିଲା ପରେ ଶୁଭ୍ରାଂଶୁଙ୍କର ସମସ୍ତ ଖର୍ଚ୍ଚ ନାସା ବହନ କରିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଚିଠିକୁ ଭରସା କରି ପରିବାର ଏବଂ ବିଦ୍ୟାଳୟ କର୍ତୃପକ୍ଷ ଭାରି ଉତ୍‌ଫୁଲ୍ଲିତ ହୋଇଥିଲେ।

ଖବର ଗଣମାଧ୍ୟମରେ ଏହା ପ୍ରସାରିତ ହେଲା ପରେ ଚାରିଆଡ଼ୁ ଶୁଭ୍ରାଂଶୁଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଥିଲା। ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ୍ରାଂଶୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଶୁଭ୍ରାଂଶୁଙ୍କୁ ୫୦ହଜାର ଟଙ୍କାର ବିଭିନ୍ନ ଯନ୍ତ୍ରାଂଶ ସହାୟତା ଦେଇଥିଲେ। ଏଥିସହ ଆମେରିକା ଗଲେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ଭିସା ଆବେଦନ ପୂର୍ବରୁ ଶୁଭ୍ରାଂଶୁ ନୂଆଦିଲ୍ଲୀ ବୈଦେଶିକ ମନ୍ତ୍ରାଳୟରୁ ଏକ ପ୍ରକାର ନାସ୍ତିସୂଚକ ସନ୍ଦେଶ ପାଇଛନ୍ତି। ସେ ପାଇଥିବା ଚିଠି ଯେ ନାସାରୁ ଆସିଛି ତାହା ମନ୍ତ୍ରାଳୟ ସ୍ପଷ୍ଟ କରୁନାହିଁ। ବରଂ ଚିଠିକୁ ନେଇ ମନ୍ତ୍ରଣାଳୟ ସନ୍ଦେହ ପ୍ରକଟ କରିଛି ବୋଲି ଶୁଭ୍ରାଂଶୁ କହିଛନ୍ତି। ଏମିତିକି, ଶୁଭ୍ରାଂଶୁଙ୍କ ସହ ନାସା ପ୍ରତିନିଧି ପରିଚୟ ଦେଇ କଥା ହେଉଥିବା ବ୍ୟକ୍ତି ଜଣକ ଆଉ ଫୋନ୍‌ ଉଠାଉ ନାହାନ୍ତି ବୋଲି ସେ କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟରୁ ମଧ୍ୟ ଏ ଚିଠି ଉପରେ କୌଣସି ସ୍ପଷ୍ଟ ଉତ୍ତର ରଖାଯାଉନାହିଁ।

ଯଦି ଏ ଚିଠି ମିଛ, ତେବେ ଶୁଭ୍ରାଂଶୁଙ୍କ ସହ ଖେଳିଲା କିଏ ଓ କାହିଁକି? ଏ ଚିଠିରେ କେବଳ ଶୁଭ୍ରାଂଶୁ ଠକେଇର ଶିକାର ହେଲେ ନାହିଁ, ବରଂ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଧାୟକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭୁଆଁ ବୁଲାଇଥିବା ଏ ଚିଠି ଏକ ସାଇବର କ୍ରାଇମ୍‌ ନୁହେଁ କି? ଏ ଚିଠି କେଉଁ ମେଲ୍‌ ଆଇଡିରୁ ଆସିଥିଲା? ଫୋନ୍‌ରେ ଶୁଭ୍ରାଂଶୁଙ୍କ ସହ ନାସା ପ୍ରତିନିଧିର ପରିଚୟ ଦେଇ କଥା ହେଉଥିବା ବ୍ୟକ୍ତି ଜଣକର ଘର କେଉଁଠି? ସେ କାହିଁକି କଥା ହେଉଥିଲେ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସମଗ୍ର ଘଟଣାକୁ ଅଧିକ ସଂଶୟାଚ୍ଛନ୍ନ କରିଦେଇଛି।