ଗୋଳମାଳିଆ ସ୍ଥିତିରେ ଅନୁଗୁଳ ରାଜନୀତି । ବିଜେଡିକୁ ଅଡୁଆ ଗୋଷ୍ଠୀ କନ୍ଦଳ, ଫାଇଦା ନେବାକୁ ରଣନୀତି କରୁଛନ୍ତି ବିରୋଧୀ ଦଳ ।

ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ହ୍ୟାଟ୍ରିକ୍ ମାରିଥିବା ରଜନୀକାନ୍ତ ସିଂହ ଏଥର ଚତୁର୍ଥଥର ପାଇଁ ଟିକେଟ୍ ପାଇବାକୁ ଆଶାୟୀ ଅଛନ୍ତି ।

196

କନକ ବ୍ୟୁରୋ: ଅନୁଗୁଳ ରାଜନୀତି ବଢ଼ାଉଛି ତାତି । ନିର୍ବାଚନ ଯେତିକି ପାଖେଇ ଆସୁଛି, ଅନ୍ୟ ନିର୍ବାଚନମଣ୍ଡଳୀ ଭଳି ଅନୁଗୁଳ ବିଧାନସଭା କ୍ଷେତ୍ରରେ ଟିକେଟ ପାଇଁ ସେତିକି ଲବି ଜୋରଦାର ହେବାରେ ଲାଗିଛି । ଆଉ ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ହ୍ୟାଟ୍ରିକ୍ ମାରିଥିବା ରଜନୀକାନ୍ତ ସିଂହ ଏଥର ଚତୁର୍ଥଥର ପାଇଁ ଟିକେଟ୍ ପାଇବାକୁ ଆଶାୟୀ ଅଛନ୍ତି । କନ୍ତୁ ବର୍ତ୍ତମାନ ଅନୁଗୁଳ ରାଜନୀତି ପାଣି ଗୋଳିଆ ହେବାରେ ଲାଗିଛି । କାରଣ ସେଠାରେ ବିଜେି ଦୁଇଫାଳ ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କ ଘନିଷ୍ଠ ଭକ୍ତି ପ୍ରସାଦ ଦାଶ ଏଥର ବିଜେଡି ଟିକେଟ୍ ପାଇବା ପାଇଁ ଆଶାୟୀ ରହିଛନ୍ତି । ତେବେ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଶୁଣିବାକୁ ମିଳୁଛି ।

ନିକଟରେ ସଚେତନ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ସହରରେ ପ୍ରଚାରପତ୍ର ବାଣ୍ଟି ବିଧାୟକ ରଜନୀକାନ୍ତ ସିଂହ ଅନୁଗୁଳର ବିକାଶ ପାଇଁ କ’ଣ କରିଛନ୍ତି, ତାହାର ହିସାବ ମାଗିଥିଲେ। ଅନ୍ୟପଟେ ବିରୋଧୀମାନେ ତାଙ୍କୁ ପୁଣି ‘ଗୁଡ୍ ଫର୍ ନଥିଂ’ ବୋଲି ମଧ୍ୟ କହି ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି । ୨୦୦୦ ମସିହାଠାରୁ ତାଙ୍କ ପରିବାର ହାତରେ କ୍ଷମତା ରହିଥିବାରୁ ଏଥର ନିର୍ବାଚନରେ ‘ସରକାରୀ ବିରୋଧୀ ହାୱା’ କାମ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା କୋଟାରେ ରଜନୀକାନ୍ତଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ଟିକେଟ ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତୀତ ତାମଡା ଅଧ୍ୟକ୍ଷ ତଥା ‘ଜୀବନ ବିନ୍ଦୁ’ର ଜିଲ୍ଲା ସଂଯୋଜକ ଶକ୍ତି ପଟ୍ଟନାୟକ କିନ୍ତୁ ଏଥର ଟିକେଟ ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ।

ସେପଟେ ବିଧାନସଭା ଆସନ ବିଜେଡି କବଜାରେ ରହିଥିଲେ ସୁଦ୍ଧା ଅନୁଗୁଳ ପୌରଶାସନ କ˚ଗ୍ରେସ ଅକ୍ତିଆରରେ ରହିଆସିଛି । ଉଭୟ ସହରା˚ଚଳ ଓ ଗ୍ରାମା˚ଚଳରେ କ˚ଗ୍ରେସର ପକେଟ ଭୋଟ ରହିଛି । ବିଗତ ନିର୍ବାଚନ ଫଳାଫଳର ତର୍ଜମା କଲେ ଏହି ଆସନରେ କ˚ଗ୍ରେସ ଭୋଟହାର ବୃଦ୍ଧି ପାଇଥିବା ବେଳେ ଶାସକ ଦଳର ହାର ହ୍ରାସ ପାଉଛି ।

ଏଭଳି ପରିସ୍ଥିତିରେ କ˚ଗ୍ରେସ ଏହି ଆସନ ହାତେଇବା ଲକ୍ଷ୍ୟରେ ବେଶ୍ ତତ୍ପର ହୋଇଉଠିଛି । ତେବେ କଂଗ୍ରେସରେ ବି ବହୁ ଆଶାୟୀ ରହିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, କାର୍ଯ୍ୟକାରୀ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସମେତ ବେଣୁଧର ସାହୁ, ଅକ୍ଷୟ କୁମାର, ଜିତେନ୍ଦ୍ର ସାହୁ, ଜୟନ୍ତ ସାହୁ ପ୍ରମୁଖ ଟିକେଟ ପାଇଁ ସ୍କ୍ରିନିଂ କମିଟି ପାଖରେ ଆବେଦନ କରିଛନ୍ତି । ତେବେ ମାଳମାଳ ଆଶାୟୀଙ୍କ ମଧ୍ୟରୁ କାହାକୁ ବାଛିବେ ଦଳର ହାଇକମାଣ୍ଡ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ଶାସକ ବିଜେଡିରେ ଲାଗି ରହିଥିବା ଅର୍ନ୍ତକନ୍ଦଳ ଫାଇଦା ନେବାକୁ ବଳ କଷୁଛି ବିଜେପି । ଯାହା ୨୦୧୪ ମସିହାରେ କ˚ଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରତାପ ପ୍ରଧାନ ଇତିମଧ୍ୟରେ ପଦ୍ମ ପୋଖରୀରେ ବୁଡ଼ ମାରିଛନ୍ତି । ତେବେ ପ୍ରତାପଙ୍କ ପ୍ରାର୍ଥୀ ଚର୍ଚ୍ଚାକୁ ଅନ୍ୟତମ ଆଶାୟୀ ପ୍ରାର୍ଥୀ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ଦିଲୀପ ପ୍ରଧାନ ତୀବ୍ର ବିରୋଧ କରୁଛନ୍ତି । ଦିଲୀପ ପ୍ରଧାନଙ୍କ ସମେତ ପୂର୍ବରୁ ୨ ଥର ହୋଇଥିବା ମୀନକେତନ ଅମାନ୍ତ ବି ଏଥର ଟିକେଟ ପାଇଁ ଆଶାୟୀ ରହିଛନ୍ତି । ଏସବୁ ବାଦ୍ ପ୍ରତି ଦଳରେ ଏବେ ପ୍ରର୍ଥୀ ଚୟନ ନେଇ ଯେଉଁ ଦ୍ୱନ୍ଦ ଲାଗି ରହିଛି ତାହା ଅଗାମୀ କିଛି ଦିନ ମଧ୍ୟରେ ସମାଧାନ ହୋଇଯିବ ବୋଲି ବିଭିନ୍ନ ଦଳୀୟ ଶିବିରରେ ଶୁଣିବାକୁ ମିଳୁଛି ।