କ୍ରାଉଡପୁଲର ହେଲେ କି କୋଣଠେସା ? ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବ ଆଉଟ ।

630

କନକ ବ୍ୟୁରୋ : ବ୍ରଜରାଜନଗର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିବେ । ସେହିଭଳି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅନେକ ଯୁବ ଓ ବରିଷ୍ଠ ନେତାଙ୍କ ନାଁ ରହିଛି । କିନ୍ତୁ ଷ୍ଟାର ପ୍ରଚାରକ ତାଲିକାରେ ଯେଉଁ ନେତାଙ୍କ ନାଁ ନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆଉ ବିଜେଡିର ସେହି ନେତା ଜଣକ ହେଉଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଯାହାଙ୍କୁ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି । ଯାହା ସଂକେତ ଦେଉଛି, ଦିନେ ଦଳ ପାଇଁ କ୍ରାଉଡପୁଲର ଥିବା ଅନୁଭବ ଏବେ ଦଳରେ କୋଣଠେସା ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ନିର୍ବାଚନରେ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇ ଆସୁଥିବା ନାଁ । ବଡ ବଡ ରାଜନୈତିକ ରାଲି ଓ ସଭାରେ ଅଧିକ ଜନସମାଗମ ପାଇଁ ପୂର୍ବରୁ ଅନୁଭବଙ୍କୁ ଖୋଜା ପଡୁଥିଲା । ସିନେ ଅଭିନେତା ଭାବେ ହଜାର ହଜାର ପ୍ରଂଶସକ ଥିବାରୁ ବିଜେଡିର ରାଜନୈତିକ ଓ ନିର୍ବାଚନୀ ରାଲିରେ ଅନୁଭବଙ୍କ ଉପସ୍ଥିତି ଜନସମାଗମ ପାଇଁ ଯଥେଷ୍ଟ ଥିଲା । ଖାସକରି ୨୦୧୪ ନିର୍ବାଚନରେ ବିଭିନ୍ନ ରାଲିରେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଅନୁଭବ । ଆଉ ପ୍ରତିବଦଳରେ ଅନୁଭବଙ୍କୁ ୨୦୧୪ରେ ପ୍ରଥମେ ରାଜ୍ୟସଭା ପଠାଇଥିଲେ ନବୀନ । ୨୦୧୪ ପରେ ହୋଇଥିବା ପ୍ରତ୍ୟେକ ନିର୍ବାଚନୀ ରାଲି ଓ ଦଳୀୟ ସଭାରେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ଭାବେ ସାମ୍ନାକୁ ଆଣୁଥିଲା ଦଳ । ପରବର୍ତ୍ତୀ ସମୟରେ ଦଳରେ ଅନୁଭବଙ୍କ ଗୁରୁତ୍ୱ ମଧ୍ୟ ଯଥେଷ୍ଟ ଅଧିକ ବଢିଥିଲା । ଯେଉଁଥିପାଇଁ ୨୦୧୯ରେ କେନ୍ଦ୍ରାପଡା ଭଳି ଚର୍ଚ୍ଚିତ ଆସନରୁ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଅନୁଭବ କେବଳ ବିଜୟୀ ହୋଇନଥିଲେ ବରଂ ବୈଜୟନ୍ତଙ୍କ ଭଳି ହେଭିୱେଟଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ଦଳରେ ଅନୁଭବଙ୍କ ଦବଦବା ବଢିଥିଲା । କିନ୍ତୁ ହଠାତ୍ କାହିଁକି ଦଳରେ କୋଣଠେସା ହେଲେ ଅନୁଭବ? ଏହା ପଛର ସବୁଠୁ ବଡ କାରଣ ହେଉଛି ଅନୁଭବଙ୍କ ପାରିବାରିକ ବିବାଦ ।

୨୦୧୯ ନିର୍ବାଚନ ପରେ ଅନୁଭବଙ୍କ ରାଜନୈତିକ କ୍ୟାରିୟରରେ ଘୋଟି ଆସିଥିଲା କଳାବାଦଲ । ପତ୍ନୀ ବର୍ଷାଙ୍କ ସହ ପାରିବାରିକ ବିବାଦରେ ଛନ୍ଦି ହେବା ଅନୁଭବଙ୍କୁ ମହଙ୍ଗା ପଡିଥିଲା । ଦଳରେ କେବଳ ପତିଆରା କମିନଥିଲା ବରଂ ଅନୁଭବଙ୍କ ଉପରୁ ହଟିଥିଲା ଷ୍ଟାର ପ୍ରଚାରକର ଟ୍ୟାଗ୍ । ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଅନୁଭବଙ୍କୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ରିସ୍କ ନେବାକୁ ଚାହୁଁନଥିବା ସଂକେତ ଦେଇଥିଲା ଦଳ । ଯେଉଁଥିପାଇଁ ବାଲେଶ୍ୱର ସଦର, ତିର୍ତ୍ତୋଲ ଓ ପିପିଲି ଉପ-ନିର୍ବାଚନରେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ଆଉଟ କରାଯାଇଥିଲା । ଆଉ କ୍ରାଉଡପୁଲର ଚେହେରା ଭାବେ ସିନେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟଙ୍କୁ ଭରସିଥିଲା ଦଳ । ଆଉ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବ ଆଉଟ ହୋଇଥିବା ବେଳେ ପୁଣିଥରେ ଅରିନ୍ଦିମଙ୍କୁ ଭରସିଛି ଦଳ । ଯାହା ସଂକେତ ଦେଉଛି ବିଜେଡିରେ ଅନୁଭବଙ୍କ ରାଜନୈତିକ କ୍ୟାରିୟରର ରଥ ଆଗକୁ ଗଡିବା ଆଉ ସହଜ ହୋଇନପାରେ ।