କନକ ବ୍ୟୁରୋ : ବୈଜୟନ୍ତଙ୍କ ଘରେ ବୋଧହୁଏ ତାଜମହଲ ରହିଯାଇଛି । ଯାହାକୁ ଉଠାଇବା ପାଇଁ ୧୩ ମାସରୁ ଅଧିକ ସମୟ ନେଲେଣି କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ସରକାରୀ ବଙ୍ଗଳାକୁ ନେଇ ବୈଜୟନ୍ତ ପଣ୍ଡାଙ୍କୁ ଏଭଳି ତାତ୍ସଲ୍ୟଭରା ଟାର୍ଗେଟ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ପାଟକୁରାରୁ ପୁଣିଥରେ ବୈଜୟନ୍ତଙ୍କୁ ପ୍ରଶ୍ନ ବାଣ ମାରି ଘାଇଲା କରିଛନ୍ତି ଅନୁଭବ ।
ଏହାପୂର୍ବରୁ ସରକାରୀ ବଙ୍ଗଳାକୁ ନେଇ ବୈଜୟନ୍ତ ପଣ୍ଡାଙ୍କୁ ଟ୍ୱିଟ୍ ମାଧ୍ୟମରେ ଟାର୍ଗେଟ କରିଥିଲେ ଅନୁଭବ । ବୈଜୟନ୍ତ ପଣ୍ଡା ଯଦିଓ ଏହାର ଉତ୍ତର ରଖିଥିଲେ, ତଥାପି ବିବାଦ ଥମିବାର ନାଁ ନେଉନାହିଁ । ଗତକାଲି ପୁଣି ଥରେ ସିରିଜ ଟ୍ୱିଟ୍ କରି ବୈଜୟନ୍ତଙ୍କ ଠାରୁ ଉତ୍ତର ଜାଣିବାକୁ ଚାହିଁଛନ୍ତି ଅନୁଭବ । ୨୪ ଘଂଟା ପରେ ବି କାହିଁକି ଚୁପ୍ ବସିଛନ୍ତି ବୈଜୟନ୍ତ ? ଟ୍ୱିଟ୍ ମାଷ୍ଟର କାହିଁକି ବଙ୍ଗଳା ପ୍ରସଙ୍ଗରେ ଚୁପ ରହିଛନ୍ତି? ସାଂସଦ ପଦରୁ ଇସ୍ତଫା ଦେଲା ପରେ ଓ ନିର୍ବାଚନ ହାରିବା ପରେ ମଧ୍ୟ କଣ ଜଣେ ସରକାରୀ ବଙ୍ଗଳାରେ ରହିପାରିବ? ଏହା କଣ ଆଇନ ସମ୍ମତ? ଆଉ ପ୍ରସ୍ତୁତ ରୁହନ୍ତୁ, ଯେତେବେଳେ ଲୋକ ଆପଣଙ୍କୁ ପ୍ରଶ୍ନ ପଚାରିବେ, ଦିଲ୍ଲୀ ଘର କେବେ ଛାଡିବେ କି ବୈଜୟନ୍ତ ବାବୁ? ଏଭଳି କିଛି ଟ୍ୱିଟ୍ କରି ବୈଜୟନ୍ତଙ୍କ ବଙ୍ଗଳାର ସତ ପଦାକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି ଅନୁଭବ ।
ଗୁରୁବାର ପ୍ରଥମେ ଟ୍ୱିଟ କରି ଅନୁଭବ ଅଭିଯୋଗ କରିଥିଲେ- ଦିଲ୍ଲୀ ମହାଦେବ ରୋଡ ସ୍ଥିତ ସରକାରୀ କ୍ୱାଟରକୁ ବୈଜୟନ୍ତ ମାଡି ବସିଛନ୍ତି । ଗୁରୁୁବାର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏହି ଘର ଭିତରକୁ ଯାଇ ଦେଖିବାକୁ ଚାହିଁଥିଲେ କିନ୍ତୁ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ । ଏହା ପରେ ଟୁଇଟ କରି ଅନୁଭବ ଲେଖିଥିଲେ- ସରକାରୀ ଗୃହ ଆବଂଟନ କରୁଥିବା ଲୋକସଭାର ହାଉସ କମିଟି ତାଙ୍କୁ ଘର ଦେଖିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ଆଉ ଘର ଆଗରେ ନିଜର ଏକ ଫଟୋ ଉଠାଇ ଟୁଇଟ କରିଥିଲେ ଅନୁଭବ । ୧୩ ମାସ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏହି ଘର ଛାଡି ଦେବା କଥା ।
ଆଉ ଅନୁଭବଙ୍କ ଅଭିଯୋଗ ପରେ ଖୋଦ୍ ବୈଜୟନ୍ତ ଏନେଇ ମୁହଁ ଖୋଲିଛନ୍ତି । ବୈଜୟନ୍ତ କହିଛନ୍ତି, ବର୍ତମାନ ସେ ଏହି ଘର ପାଇଁ ସରକାରଙ୍କୁ ଭଡା ଦେଉଛନ୍ତି । ଘରେ ବହୁ ସଂଖ୍ୟାରେ ବଡ ବଡ ସାମଗ୍ରୀ ଥିବାରୁ ସେଗୁଡିକ ଖାଲି କରିବା ପାଇଁ ସମୟ ଦରକାର । ଏପରିକି ଏବେ ସେ ଏହି ଘରେ ରହୁନାହାନ୍ତି କେବଳ କିଛି ସାମଗ୍ରୀ ରହିଥିବାରୁ ଏହାକୁ ଖାଲି କରାଯାଇପାରୁନାହିଁ ବୋଲି କହିଛନ୍ତି ବୈଜୟନ୍ତ । ତେବେ ଏହି ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିକୁ ରୋଚକ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/TAJMAHAL_00001.jpg)