ବୈଜୟନ୍ତ ଓ ଜାଗୀଙ୍କୁ ଅନୁଭବଙ୍କ ଟ୍ୱିଟ୍ ଟାର୍ଗେଟ୍ । କେନ୍ଦ୍ରାପଡ଼ା ସାଂସଦ ଟ୍ୱିଟରେ ଲେଖିଲେ, ଗିରଫ ଭୟରେ ପଳାୟନ କରିଛନ୍ତି ଜାଗୀ ଓ ବୈଜୟନ୍ତ ପଣ୍ଡା

2,060

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ପିଟିସନରଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟ୍ । ଏହି ଟ୍ୱିଟରେ ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଅନୁଭବ । ସେ ଲେଖିଛନ୍ତି, ଅନୁସୂଚିତ ଜାତିର ଗରିବ ଲୋକଙ୍କ ଜମି ହଡ଼ପ ମାମଲାରେ ବୈଜୟନ୍ତ ପଣ୍ଡା ଓ ଜାଗିମଙ୍ଗତ ପଣ୍ଡାଙ୍କ ଗିରଫ ପାଇଁ ବାଟ ପରିଷ୍କାର କରିଛନ୍ତି ମାନ୍ୟବର ହାଇକୋର୍ଟ ।

ଅନୁଭବ ଆହୁରି ଲେଖିଛନ୍ତି, ସେମାନଙ୍କ ବିରୋଧରେ ସାଂଘାତିକ ଆରୋପ ଲଗାଯାଇଥିବା ବେଳେ ଗିରଫ ହେବାରୁ ବର୍ତିବା ପାଇଁ ବୈଜୟନ୍ତ, ତାଙ୍କ ପରିବାର ସହ ପଳାୟନ କରି ଆତ୍ମଗୋପନ କରିଛନ୍ତି । ଆଉ ଏକ ଟ୍ୱିଟ୍ରେ ଅନୁଭବ ଲେଖିଛନ୍ତି, ତାଙ୍କର ବିଚାର ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ଗରିବ ଲୋକମାନେ ନ୍ୟାୟ ପାଇବା ସହ ସେମାନଙ୍କ ଜମି ଫେରିପାଇବେ । ବୈଜୟନ୍ତ ପଣ୍ଡା ଯଦି ପ୍ରକୃତରେ କିଛି ଲୁଚାଇବାକୁ ଚାହୁଁନାହାନ୍ତି, ତେବେ ସେ ସାମ୍ନାକୁ ବାହାରି ପୁଲିସର ତଦନ୍ତରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ।