ଛାଡପତ୍ର ନେବା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଧମକ୍ ଦେଇଥିଲେ ଅନୁଭବ ମହାନ୍ତି : ଜୁନ୍ ୧୧ ତାରିଖରେ ସହମତିରେ ଛାଡପତ୍ର ଦେବା ପାଇଁ ଧମକ୍ ଦେଇଥିବା ନେଇ ପିଟିସନରେ ବର୍ଷାଙ୍କ ଅଭିଯୋଗ 

1,090

କନକ ବ୍ୟୁରୋ : ବର୍ଷା-ଅନୁଭବ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୋର୍ଟରେ ବର୍ଷା ଦାଖଲ କରିଥିବା ପିଟିସନ୍ ଅନେକ ଗୁମର ଖୋଲିଛି । ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ତ ହୋଇଥିବା ବର୍ଷା ପ୍ରିୟଦର୍ଶୀନୀ ତାଙ୍କ ପିଟିସନ୍ରେ ଲେଖିଛନ୍ତି ଡିଭର୍ସ ନେଇ ଯିବା ପାଇଁ ସାଂସଦ ଅନୁଭବ ମହାନ୍ତି ମହାନ୍ତି ଧମକ୍ ଦେଉଥିଲେ । ଜୁନ୍ ୧୧ ତାରିଖରେ ସହମିତି ଭିତରେ ଛାଡପତ୍ର ଦେବା ପାଇଁ ଅନୁଭବ ଧମକ୍ ଦେଇଥିଲେ ବୋଲି ବର୍ଷାଙ୍କ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅଦାଲତର ଆଶ୍ରୟ ନେଇଛନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି ।

ଏପରିକି ଅନୁଭବଙ୍କ ବାପାମାଆ ଅନୁଭବ ଫିଲ୍ମ ଜୀବନରେ ହସ୍ତକ୍ଷେପ ନକରିବାକୁ ଖୋଲାଖୋଲି ଧମକ ଦେଉଥିଲେ ବୋଲି ବର୍ଷା ନିଜ ଅଭିଯୋଗରେ ଲେଖିଛନ୍ତି ।  ବର୍ଷା ଏଥିରେ ଆହୁରି ଲେଖିଛନ୍ତି, ଅନୁଭବ ଜଣେ ମଦ୍ୟପ । ମଦ ପିଇବା ପରେ ସେ ହିତାହୀତ ଜ୍ଞାନ ଭୁଲି ଯାଆନ୍ତି ଏବଂ ସାଧାରଣ ଜୀବନ ଠାରୁ ଦୂରେଇ ଯାଆନ୍ତି । ଏପରିକି ବେଡରୁମରେ ବର୍ଷାଙ୍କୁ ଉପସ୍ଥିତିରେ ସାଙ୍ଗସାଥୀଙ୍କୁ ଧରି ଅନୁଭବ ମଦ୍ୟପାନ କରିଥାନ୍ତି । ତାଙ୍କ ବାପାମାଆ ମଧ୍ୟ ଏସଂପର୍କରେ ଅବଗତ ଥାନ୍ତି । ବର୍ଷା ଏହାର ବିରୋଧ କଲେ ତାଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ମାଡ ମାରିଥାନ୍ତି, ବାଡିରେ ବି ପିଟିଥାନ୍ତି । ଦୁହିଁଙ୍କ ସମ୍ମାନ ଏବଂ ଶାଶୁଘର ଓ ବାପଘରର ସମ୍ମାନକୁ ଆଖିଆଗରେ ରଖି ଏହିସବୁ ନିର୍ଯାତନାକୁ ସହିଯାଉଥିଲେ ବୋଲି ବର୍ଷା ଉଲ୍ଲେଖ କରିଛନ୍ତି ।

ଓଡିଆ ଫିଲ୍ମ ଜଗତର ଦୁହେଁ ସୁପରଷ୍ଟାର ହୋଇଥିବାରୁ ସମାଜରେ ଥିବା ତାଙ୍କ ସମ୍ମାନ ପ୍ରତି ସେ ଯଥେଷ୍ଟ ସଚେତନ ରହିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । କିନ୍ତୁ ଅନୁଭବ ମହାନ୍ତି ଓ ତାଙ୍କ ପରିବାରଲୋକ ତାଙ୍କୁ ପୋକମାଛି ଭଳି ବ୍ୟବହାର କରନ୍ତି ଏବଂ ସବୁ ବେଳେ ବର୍ଷାଙ୍କୁ ଛୋଟ ଦେଖାଇବା ପାଇଁ ଉଦ୍ୟମ କରିଥାନ୍ତି ବୋଲି ପିଟିସନରେ ଲେଖାଯାଇଛି । ଏହାସହ ଉଲ୍ଲେଖ କରିଛନ୍ତି, ଏସବୁ ଉଦ୍ୟମ ସତ୍ୱେ ସମାଜରେ ତାଙ୍କର ସମ୍ମାନର ବଜାୟ ରହିଛି । ପରିବାର ବଢାଇବା ପାଇଁ ଯୋଜନା କରୁଥିବା ବେଳେ ଅନୁଭବ କିନ୍ତୁ ସାରାରାତି ମଦ ପିଇ ଏହାକୁ ଅଣଦେଖା କରିଆସୁଥିଲେ ବୋଲି ଲେଖିଛନ୍ତି ବର୍ଷା ।