ବର୍ଷା-ଅନୁଭବ ବିବାଦ ଭିତରେ ଜାଗୃତି ଶୁକ୍ଳାଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା । ଜାଗୃତିଙ୍କୁ ଜଣେ ଉତ୍ତମ ଓ ବିପଦ ବେଳର ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି ଅନୁଭବ ।

530

କନକ ବ୍ୟୁରୋ : ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ସମୟରେ ଚର୍ଚ୍ଚାକୁ ଆସିଛି ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲାଙ୍କ ଫଟୋ । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ନିଜ ଫେସବୁକ୍ ପେଜରେ ସେୟାର କରିଛନ୍ତି ଅନୁଭବ । ଏହି ପୋଷ୍ଟରେ ଅନୁଭବ, ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ଜାଗୃତିଙ୍କୁ ପ୍ରକୃତ ବନ୍ଧୁ ବୋଲି ଦର୍ଶାଇ ଢ଼େର ପ୍ରଶଂସା କରିଛନ୍ତି ।

ଅନୁଭବ ମହାନ୍ତି, ଜାଗୃତି ଶୁକ୍ଳା, ଅଶ୍ୱିନୀ ଦୁବେ । ଦୀର୍ଘ ଦିନର ନିରବତା ପରେ ସୋସିଆଲ ମିଡିଆରେ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଏହି ପୋଷ୍ଟକୁ ନେଇ ଅନେକ କଥା ଉଠୁଛି । ଫଟୋରେ ଅନୁଭବଙ୍କ ସହିତ ଅଛନ୍ତି ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଏବଂ ଅଶ୍ୱିନୀ ଦୁବେ । ଫଟୋଟିକୁ ନିଜ ଫେସବୁକ ପେଜରେ ସେୟାର କରି ବନ୍ଧୁ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏଥିସହ ବାନ୍ଧବୀ ଜାଗୃତିଙ୍କୁ ବିପଦ ସମୟର ବନ୍ଧୁ ବୋଲି ଦର୍ଶାଇ ଢେର ପ୍ରଶଂସା କରିଛନ୍ତି ।

ଫଟୋଟି ଓକିଲ ଅଶ୍ୱିନୀ ଦୁବେଙ୍କ କାର୍ଯ୍ୟାଳୟରେ ଉଠାଯାଇଥିବା ପରି ମନେ ହେଉଛି । ଯିଏ ଦିଲ୍ଲୀ କୋର୍ଟରେ ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନ ମାମଲାର ପରିଚାଳନା କରୁଛନ୍ତି । ଚେୟାରର ଗୋଟିଏ ପଟେ ଅଶ୍ୱିନୀ ଏବଂ ଅନ୍ୟପଟେ ଅନୁଭବ ଓ ଜାଗୃତି ଖୁବ ପାଖାପାଖି ଛିଡା ହୋଇଛନ୍ତି ।

ଏହି ଫଟୋଟି ସେହି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କଠାରୁ ଅଲଗା ହେବା ପାଇଁ ଦିଲ୍ଲୀର ସାକେତ କୋର୍ଟରେ ବିବାହ ବିଚ୍ଛେଦ ମାମଲା କରିଛନ୍ତି । ଏହା ପୂର୍ବରୁ ବର୍ଷା ମଧ୍ୟ କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କଠାରୁ ଭରଣ ପୋଷଣ ପାଇଁ ଆବେଦନ କରିଥିଲେ । ଯେଉଁଥିରେ ଅନୁଭବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସବୁ ବାଢିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହି ଷ୍ଟାର କପଲଙ୍କ ଭିତରେ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦୁହେଁ ଦୁହିଁଙ୍କ ବିରୋଧରେ ଅତି ସାଂଘାତିକ ଅଭିଯୋଗ ସବୁ ବାଢିଆସୁଛନ୍ତି । ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ କରି ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ଏହି ବିବାଦ ଭିତରେ କିନ୍ତୁ ଅନୁଭଙ୍କ ସହିତ ରହିବାକୁ ଚାହୁଁଛନ୍ତି ବର୍ଷା । ତାଙ୍କ ଘର ଛାଡିବାକୁ ବି ପ୍ରସ୍ତୁତ ନୁହନ୍ତି । ସେପଟେ ଅନୁଭବଙ୍କ ଏକା ଜିଦ ବର୍ଷା ତାଙ୍କ ଘର ଛାଡି ଚାଲିଯାଆନ୍ତୁ । କାରଣ ସେ ଏହି ବିବାଦ ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।

ଅନୁଭବଙ୍କ ଅତି ନିକଟରେ ଛିଡା ହୋଇଥିବା ଜାଗୃତି ଶୁକ୍ଳା ଜଣେ ପେଷାଦାର ସାମ୍ବାଦିକା । ରାଜ୍ୟସଭା ଟିଭିରେ ଖବର ଉପସ୍ଥାପନା କରନ୍ତି । ବର୍ଷାଙ୍କ ସହ ଅନୁଭବଙ୍କ ବିବାଦ ସମୟରେ ଚର୍ଚ୍ଚାକୁ ଆସିଥିଲେ ଏହି ଯୁବତୀ । ଆଉ ଏବେ ଅନୁଭବ ଏହି ଫଟୋ ପୋଷ୍ଟ କରିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବର୍ଷାଙ୍କ ସହ ବୈବାହିକ ସଂପର୍କ ଛିନ୍ନ କରି ଜାଗୃତିଙ୍କ ଆହୁରି ନିକଟତର ହେବାକୁ ଚାହୁଁଛନ୍ତି କି ଅନୁଭବ? ହାତରେ ଚା’ କିମ୍ବା କଫି କପ ଧରି ଅନୁଭବ ଓ ଜାଗୃତି ଖୁବ ପାଖାପାଖି ଛିଡା ହେବା ଦୁହିଁଙ୍କ ଭିତରେ ଘନିଷ୍ଠତାକୁ ଦର୍ଶାଉ ନାହିଁ କି? ଜାଗୃତିଙ୍କୁ ଜଣେ ଅତି ସୁନ୍ଦର ବନ୍ଧୁ ବୋଲି ବର୍ଣ୍ଣନା କରିବା ସହ ଆବଶ୍ୟକ ସମୟରେ ସେ ତାଙ୍କ ପାଇଁ ଏକାଧିକ ନିଃସ୍ୱାର୍ଥପର ବନ୍ଧୁ ତିଆରି କରିଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ତାଙ୍କୁ କେବଳ ଖୁସି ଆଣି ଦେଇଛନ୍ତି ।