ଆତଙ୍କୀ ହମଲା ଖବରକୁ ନେଇ ଅନୁଭବ ଜାରି କଲେ ଭିଡିଓ । କହିଲେ ପୂରା କାହାଣୀ, ଦେଖନ୍ତୁ ଭିଡିଓ

45

କନକ ବ୍ୟୁରୋ : ଆତଙ୍କୀ ଆକ୍ରମଣ ଖବରକୁ ନେଇ ଶେଷରେ ମୁହଁ ଖୋଲିଲେ ଓଲିଉଡ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ କାଶ୍ମୀରରେ ତାଙ୍କ ସହ ଘଟିଥିବା ପୂରା ଘଟଣାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି ଅନୁଭବ । ଜମ୍ମୁ-କାଶ୍ମୀରରେ ଏକ ଓଡିଆ ଫିଲ୍ମର ସୁଟିଂ ପାଇଁ ଯାଇଥିବା ବେଳେ କେଉଁଭଳି ପରିସ୍ଥିତିର ସାମ୍ନା କରିଥିଲେ ତାହା ଉପରୁ ପରଦା ଉଠାଇଛନ୍ତି ନିଜେ ଅନୁଭବ । ସେ କହିଛନ୍ତି ଯେଉଁ ନ୍ୟୁଜ ଗଣମାଧ୍ୟମରେ ଆସିଥିଲା ତାହା ସତ କିନ୍ତୁ ସେଥିରେ ଆଉ କିଛି ଘଟଣା ଯୋଡିଛନ୍ତି ଅନୁଭବ ।ପ୍ରେମକୁମାର ଫିଲ୍ମର କିଛି ଗୀତର ସୁଟିଂ ପାଇଁ କଶ୍ମୀରର ଦୁରପନ୍ଥୀକୁ ଚୟନ କରାଯାଇଥିଲା । ସେଠାରେ ସୁଟିଂ ସରିବା ପରେ ପ୍ରଥମେ ଅନୁଭବଙ୍କ ଗାଡି ବାହାରି ଆସିଥିଲା । ପରେ ନିର୍ଦ୍ଦେଶକ ତାପସ ସରଘରିଆ ମଧ୍ୟ ବାହାରି ଆସିଥିଲେ ଏବଂ ବାକି ୯ ଜଣ ଟିମ୍ ମେମ୍ବର ଅନ୍ୟ ଗାଡିରେ ଶ୍ରୀନଗର ଏୟାରପୋର୍ଟ ଅଭିମୁଖେ ବାହାରିଥିଲେ । ତେବେ ତାପସ ସରଘରିଆ ବିମାନ ବନ୍ଦରରେ ପହଞ୍ଚିଥିଲେ ମଧ୍ୟ ଅନ୍ୟ କେହି ସେଠାରେ ପହଞ୍ଚିନଥିଲେ । ଆଉ ଏହି ସମୟରେ ୯ ଜଣ ଟିମ୍ ମେମ୍ବରଙ୍କୁ ନେଇ ଆସୁଥିବା ଡ୍ରାଇଭରଙ୍କ ନିକଟରୁ ତାପସ ସରଘରିଆଙ୍କ ନିକଟକୁ ଆସିଥିଲା ଫୋନ କଲ । ଡ୍ରାଇଭର ଜଣକ କହିଥିଲେ ବାରମୁଲା ନିକଟରେ ତାଙ୍କ ଗାଡି ଫଶିଯାଇଛି କାରଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ କରୁଥିଲେ ସୁରକ୍ଷାବାହିନୀ ।

ଲିଙ୍କ୍ କ୍ଲିକ କରି ଦେଖନ୍ତୁ ଭିଡିଓ :


ପ୍ରତି ଗାଡିକୁ ସର୍ଚ୍ଚ କରିବା ସହ ଗୋଟି ଗୋଟି କରି ଆଗକୁ ଛାଡୁଥିଲେ । ଆଉ ଏହି ସମୟରେ ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଭୁଥିଲା । ତେଣୁ ଏଭଳି ସମୟରେ ଉକ୍ତ ଡ୍ରାଇଭର ଜଣକ ଟିମ୍ ମେମ୍ବରଙ୍କୁ ଗୋଟିଏ ଗାଁ ବାଟେ ନେବ ବୋଲି ନିର୍ଦ୍ଦେଶକ ତାପସ ସରଘରିଆଙ୍କୁ କହିଥିଲେ । ତେବେ ଏଥିରେ ବିପଦ ଥିବା ମଧ୍ୟ କହିଥିଲେ । କିନ୍ତୁ ସବୁପରେ ଡ୍ରାଇଭର ଜଣକ ସାହସ ଜୁଟାଇ ଗାଁ ବାଟେ ଆଣି ଟିମ୍ ମେମ୍ବରଙ୍କୁ ଶ୍ରୀନଗରରେ ଛାଡିଥିଲେ । ଏସବୁ ଭିତରେ ସୁଟିଂ ସେଟରୁ ପ୍ରଥମେ ବାହାରିଥିବା ଅନୁଭବଙ୍କ ଗାଡି ମଧ୍ୟ ଠିକଣା ସମୟରେ ବିମାନବନ୍ଦରରେ ପହଞ୍ଚି ପାରିନଥିଲା । ଯେଉଁଥିପାଇଁ ବିଚଳିତ ହୋଇଯାଇଥିଲେ ତାପସ । ଆଉ ଏହି ସମୟରେ ଅନୁଭବଙ୍କ ଗାଡିରୁ ମଧ୍ୟ ତାପସଙ୍କ ନିକଟକୁ ଫୋନ ଆସିଥିଲା । ଏବଂ ଯାହା ଡ୍ରାଇଭର ଜଣକ କହିଥିଲେ ତାହା ତାପସଙ୍କୁ ଆଶ୍ଚଯ୍ୟ କରିଥିଲା । କାରଣ ଅନୁଭବ ଓ ତାଙ୍କ ସହ ଥିବା ଅନ୍ୟ ସଦସ୍ୟ ମାନେ ଯେଉଁ ଗାଡିରେ ଆସୁଥିଲେ ତାହା ଘାଟିରୁ ଖସୁଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା । କିନ୍ତୁ ଏକଥା ୩୦ ମିନିଟ ପର୍ଯ୍ୟନ୍ତ ଡ୍ରାଇଭର ଜଣକ କାହାକୁ କହିନଥିଲେ । କାରଣ ଏହାଦ୍ୱାରା କାଳେ ପୂରା ଟିମ ଭୟଭୀତ ହେବ ତେଣୁ ଘାଟିରୁ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ଏକଥା କହିଥିଲେ ଡ୍ରାଇଭର । ଆଉ ଏଭଳି ଭାବେ କାଶ୍ମୀର ଘାଟିରୁ ଦିଲ୍ଲୀ ଫେରିଥିଲେ ପ୍ରେମକୁମାର ଫିଲ୍ମର ପୂରା ଟିମ୍ । ତେବେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତାଙ୍କ ଟିମ୍ ସୁରକ୍ଷିତ ଭାବେ ଫେରି ଆସିଥିବା କହିଛନ୍ତି ଅନୁଭବ ।