ଅମିତ ଶାହାଙ୍କୁ କାହିଁକି ଭେଟିଲେ ସାଂସଦ ଅନୁଭବ ମହାନ୍ତି? ରହିଛି କି ରାଜନୈତିକ ଉଦ୍ଦେଶ୍ୟ?

793

କନକ ବ୍ୟୁରୋ: ଫଟୋ କହୁଛି ଅନେକ କଥା । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଭେଟିବା ପରେ ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅମିତ ଶାହଙ୍କୁ ଭେଟିବା ପରେ ଅନୁଭବ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଦେଶର ଯୁବପିଢିଙ୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଜଣେ ସାଂସଦ ଭାବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବାରେ ସାଧାରଣ ଘଟଣା ହୋଇପାରେ । ମାତ୍ର ପାରିବାରିକ ବିବାଦ ଭିତରେ ଏଭଳି ଭେଟଘାଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜନୈତିକ ମହଲ । ପ୍ରଶ୍ନ ଉଠୁଛି, ବିଜେଡିରେ କଣଠେସା ହୋଇପଡିଥିବା ଅନୁଭବଙ୍କ ମନରେ ଆଉ କିଛି ରାଜନୈତିକ ଉଦ୍ଦେଶ୍ୟ ଅଛି କି?

ଦୀର୍ଘଦିନ ଧରି ବିଜେଡିରେ ଅଣଦେଖା ହୋଇ ରହିଛନ୍ତି କେନ୍ଦ୍ରପଡା ସାଂସଦ । ପଂଚାୟତ, ପୌର ଓ ପିପିଲି, ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରରେ ଅନୁଭବକୁ ଗୁରୁତ୍ୱ ଦେଇନାହିଁ ବିଜେଡି । କୁହାଯାଉଛି, ବର୍ଷାଙ୍କ ସହ ପାରିବାରିକ ବିବାଦରେ ଛନ୍ଦିହୋଇପଡିଥିବାରୁ ତାଙ୍କଠାରୁ ଦୂରତା ବଢାଇଛି ବିଜେଡି । ଏଭଳି ସମୟରେ କଣ କରିବେ ଅନୁଭବ ସେ ନେଇ ହୁଏତ ଚିନ୍ତାରେ ଥାଇପାରନ୍ତି । ଆଉ ଏଭଳି ସମୟରେ ଅମିତ ଶାହଙ୍କ ସହ ସାକ୍ଷାତକୁ ନେଇ ଚର୍ଚ୍ଚା ବଢିଛି ।