ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡା ସାଂସଦ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଧରିପାରନ୍ତି ପଦ୍ମ, ୨ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା । 

269

କନକ ବ୍ୟୁରୋ : ଆଜି ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇପାରନ୍ତି ଅନୁଭବ ।  ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ଅନୁଭବ ବିଜେପିରେ ମିଶୁଥିବା ନେଇ ସୂଚନା ମିଳିଛି ।

ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେବା ସହ ଲେଖିଥିଲେ ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ । ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ତେବେ ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ । ୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ । ୨୦୧୪ର ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିଲେ । ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ଥିଲେ ଅନୁଭବ ମହାନ୍ତି ।

୨୦୧୪ରୁ ୨୦୧୯ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିଲେ ଅନୁଭବ । ତେବେ ୨୦୧୯ରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରୁ  ନିର୍ବାଚନ ମଇଦାନକୁ ଅନୁଭବଙ୍କୁ ଓହ୍ଲାଇଥିଲା ବିଜେଡି ।  ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ଦଳ । ହେଭିୱେଟ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । କିନ୍ତୁ ଅନୁଭବଙ୍କ ଘରୋଇ କଳି ସାମ୍ନାକୁ ଆସିବା ପରେ ବିଜେଡି ସମୟକ୍ରମେ ଅନୁଭବଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲା । କୌଣସି ସଭାସମିତିରେ ଅନୁଭବଙ୍କୁ ସାମିଲ କରାଯାଉନଥିଲା ଏବଂ ଦଳୀୟ କାର୍ଯ୍ୟକ୍ରମରେ ଅନୁଭବଙ୍କୁ ଦୂରେଇ ରଖାଯାଉଥିଲା । ଦୀର୍ଘବର୍ଷ ଧରି ଦଳରେ କୋଣଠେସା ହୋଇ ରହିବା ପରେ ବିଜେଡିକୁ ବାଏ ବାଏ କରିଥିଲେ ଅନୁଭବ ।