ଅନୁଭବ ଜଣେ ପେସାଦାର ମଦୁଆ । ମଦ ପିଇବା ପରେ ହିତାହୀତ ଜ୍ଞାନ ଭୁଲିଯାଆନ୍ତି । ସାଙ୍ଗଙ୍କ ସହ ବେଡରୁମରେ ବି ମଦ ପିଇବାକୁ ପଛାଇ ନାହାନ୍ତି ଅନୁଭବ । ପିଟିସନରେ ଅନୁଭବଙ୍କ ବାବଦରେ ଏମିତି ଅନେକ କଥା ଉଲ୍ଲେଖ କଲେ ବର୍ଷା ।

1,033

କନକ ବ୍ୟୁରୋ: ଅନୁଭବ ଜଣେ ପେସାଦାର ମଦୁଆ । ମଦ୍ୟ ପାନ କରି ସ୍ୱାଭାବିକ ଅବସ୍ଥାରେ ରୁହନ୍ତି ନାହିଁ ଅନୁଭବ । ରାତି ଶେଷ ପର୍ଯ୍ୟନ୍ତ ମଦ ପିଅନ୍ତି ଅନୁଭବ । ଏମିତି ତାଙ୍କ ସାଙ୍ଗମାନଙ୍କ ସହ ବେଡରୁମରେ ମଦ୍ୟପାନ କରନ୍ତି । ସ୍ତ୍ରୀଙ୍କ ସାମ୍ନାରେ ତାଙ୍କ ଉପସ୍ଥିତିରେ ବାହାର ଲୋକଙ୍କ ସହ ମଦ ପିଅନ୍ତି ।

ମଦ ପିଇବା ପରେ ସେ ହିତାହୀତ ଜ୍ଞାନ ଭୁଲି ଯାଆନ୍ତି ଏବଂ ସାଧାରଣ ଜୀବନ ଠାରୁ ଦୂରେଇ ଯାଆନ୍ତି । ତାଙ୍କ ବାପାମାଆ ମଧ୍ୟ ଏସଂପର୍କରେ ଅବଗତ ଥାନ୍ତି । ବର୍ଷା ଏହାର ବିରୋଧ କଲେ ତାଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ମାଡ ମାରିଥାନ୍ତି, ବାଡିରେ ବି ପିଟିଥାନ୍ତି । ଦୁହିଁଙ୍କ ସମ୍ମାନ ଏବଂ ଶାଶୁଘର ଓ ବାପଘରର ସମ୍ମାନକୁ ଆଖିଆଗରେ ରଖି ଏହିସବୁ ନିର୍ଯାତନାକୁ ସହିଯାଉଥିଲେ ବୋଲି ବର୍ଷା ପିିଟିସନରେ ଉଲ୍ଲେଖ କରିଛନ୍ତି । ଓଡିଆ ଫିଲ୍ମ ଜଗତର ଦୁହେଁ ସୁପରଷ୍ଟାର ହୋଇଥିବାରୁ ସମାଜରେ ଥିବା ତାଙ୍କ ସମ୍ମାନ ପ୍ରତି ସେ ଯଥେଷ୍ଟ ସଚେତନ ରହିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି । କିନ୍ତୁ ଅନୁଭବ ମହାନ୍ତି ଓ ତାଙ୍କ ପରିବାରଲୋକ ତାଙ୍କୁ ପୋକମାଛି ଭଳି ବ୍ୟବହାର କରନ୍ତି ଏବଂ ସବୁ ବେଳେ ବର୍ଷାଙ୍କୁ ଛୋଟ ଦେଖାଇବା ପାଇଁ ଉଦ୍ୟମ କରିଥାନ୍ତି ବୋଲି ପିଟିସନ୍ରେ ଲେଖାଯାଇଛି ।

୬ ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ତେବେ ବାହାହେବାକୁ ବାଧ୍ୟ କରିଥିଲେ ଅନୁଭବ । ଏମିତିକି ଆତ୍ମହତ୍ୟାର ଧମକ ବି ଦେଇଥିଲେ । ଅନୁଭବଙ୍କୁ ବିବାହ କରିବା ପାଇଁ ଅନେକ ସମୟରେ ବିଭିନ୍ନ କୌଶଳ ଅବଳମ୍ବନ କରୁଥିଲେ । ଆତ୍ମହତ୍ୟା ଉଦ୍ୟମ କରିବା, ନିଜ ହାତ, ଗୋଡ, ଛାତି ଛୁରିରେ କାଟିଦେବା ପରି କାମ କରି ସେ ବିବାହ କରିବାକୁ ବାଧ୍ୟ କରୁଥିଲେ । ଏଭଳି ହରକତ ପରେ ବର୍ଷାଙ୍କ ମାଆ ଅନୁଭବଙ୍କୁ ବିବାହ କରିବାକୁ ରାଜି ହୋଇଥିବା ପିଟିସନରେ ଉଲ୍ଲେଖ ରହିଛି ।