କେନ୍ଦ୍ରାପଡାରେ କାର୍ଯ୍ୟକ୍ରମ, ହେଲେ ଦେଖା ଯାଉନାହାନ୍ତି ସାଂସଦ ଅନୁଭବ ମହାନ୍ତି । ପାରିବାରିକ ବିବାଦ ପାଇଁ କୋଣଠେସା ହେଉଛନ୍ତି କି ଅନୁଭବ ?

406

କନକ ବ୍ୟୁରୋ : ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଗତ କିଛି ଦିନର ଘଟଣାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଜାଣି ହେବ ଦଳୀୟ କାର୍ଯ୍ୟରୁ ଦୂରରେ ରହୁଛନ୍ତି ଅନୁଭବ । ଏପରିକି ବିଜେଡିର କାର୍ଯ୍ୟକାରିଣୀ ଓ ପରିଷଦ ବୈଠକରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବିବାଦ ପରେ ଦଳ ତାଙ୍କୁ କୋଣଠେସା କରିଛି ନା ସେ ବ୍ୟକ୍ତିଗତ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି ।

ଏ ହେଉଛି କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ କଷଣଅଂଟାରେ ମିନିଷ୍ଟାଡିୟମ ଶିଳାନ୍ୟାସର ନାମ ଫଳକ । ଜାନୁୟାରୀ ୮ତାରିଖରେ ମିନିଷ୍ଟାଡିୟମର ଶିଳାନ୍ୟାସ କରିଥିଲେ କ୍ରୀଡା ମନ୍ତ୍ରୀ । ଫଳକରେ ରହିଛି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାମ । ତା ତଳେ ରହିଛି ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ନାଁ, ଯାଜପୁର କୋରେଇ ବିଧାୟକ ଅଶୋକ ବଳ, ରାଜନଗର ବିଧାୟକ ଧ୍ରୁବ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନାମ ରହିଛି । ହେଲେ ଫଳକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମ ନାହିଁ । ପ୍ରଶ୍ନ ଉଠୁଛି ବାହାର ଜିଲ୍ଲାର ବିଧାୟକଙ୍କ ନାଁ ଫଳକରେ ରହୁଥିବା ବେଳେ ସାଂସଦଙ୍କ ନାମ କାହିଁକି ନାହିଁ ।

ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ସାଂସଦ ଜିଲ୍ଲାରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବା ନଜିର ରହିଛି ।

ଡିସେମ୍ବର ୨୦-ମହାକାଳପଡା ଆଖଡାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ବିଧାୟକ ଅତନୁ ସବ୍ୟସାଚୀ ଓ ଫାଇଭ ଟି ସଚିବ ଅନୁଧ୍ୟାନ ପାଇଁ ଆସିଥିବା ବେଳେ ସାଂସଦ ଅନୁପସ୍ଥିତ ଥିଲେ ।
ଡିସେମ୍ବର ୨୬- ଜିଲ୍ଲାର ବିଜେଡି ପ୍ରତିଷ୍ଠା ଉତ୍ସବରେ ସାଂସଦଙ୍କ ଦେଖା ମିଳିନଥିଲା
ଜାନୁୟାରୀ ୮- ମନ୍ତ୍ରୀ ତୁଷାରକାନ୍ତି ବେହେରା, ବଳଦେବ ଜୀଉ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ସାଂସଦଙ୍କୁ ଦେଖିବାକୁ ମିଳିନଥିଲା

ତେଣୁ ପ୍ରଶ୍ନ ଉଠୁଛି ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ସାଂସଦ ଦଳରେ କୋଣଠେସାର ଶିକାର ହେଉଛନ୍ତି କି ? ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଛି । ଏପରିକି ମାମଲା ପୁଲିସ ଓ ମହିଳା କମିସନଙ୍କୁ ମଧ୍ୟ ଯାଇଛି । ବର୍ଷାଙ୍କୁ ସୁରକ୍ଷାକର୍ମୀ ମଧ୍ୟ ଯୋଗାଇ ଦିଆଯାଇଛି ।