କନକ ବ୍ୟୁରୋ : କେନ୍ଦ୍ରାପଡାବାସୀଙ୍କୁ ଠକିବିନି, ମିଛ କହିବିନି କି ବେଇମାନି କରିବିନି । ମୈଦାନକୁ ଓହ୍ଲାଉ ଓହ୍ଲାଉ ଏଭଳି କହିବା ସହ ଡାଇରେକ୍ଟ ଆଟାକ କରିଛନ୍ତି ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି । ସିଧାସଳଖ ନାଁ ନେଇନଥିଲେ ମଧ୍ୟ କେନ୍ଦ୍ରାପଡା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡା ମାଟିରେ ପାଦ ଦେଉ ଦେଉ ଟାର୍ଗେଟ କରିଛନ୍ତି ଅନୁଭବ ।
କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉଙ୍କ ଦର୍ଶନ କରିବା ସହ ତୁଳସୀକ୍ଷେତ୍ରରେ ପଲିଟିକାଲ ଇନିଂସ ଆରମ୍ଭ କରିଛନ୍ତି ଅନୁଭବ । ଏହାସହ କେନ୍ଦ୍ରାପଡା ଭଳି ପବିତ୍ର ମାଟିରେ ପୂର୍ବତନ ସାଂସଦଙ୍କ ନାଁ ନେବାକୁ ଭଲ ଲାଗୁନାହିଁ ବୋଲି କହିବା ସହ ବୈଜୟନ୍ତଙ୍କୁ ଅନୁଭବ ମାରିଛନ୍ତି ତେରଛା ବାଣ । ଏପରିକି କେନ୍ଦ୍ରାପଡାରେ ଶିଳ୍ୱ କ୍ଷେତ୍ରରେ ଯେଉଁ ବିକାଶ ହେବା କଥା ତାହା ହୋଇନାହିଁ । ପୂର୍ବତନ ସାଂସଦ ଲୋକଙ୍କୁ ଠକିଛନ୍ତି, ମିଛ କହିଛନ୍ତି । କିନ୍ତୁ ମୁଁ ତାଙ୍କ ଭଳି ମିଛୁଆ ହେବିନି କି ଠକିବିନି କିମ୍ବା ବେଇମାନ ହେବିନି ବୋଲି ପ୍ରତିଶୃତି ଦେଇଛନ୍ତି ଅନୁଭବ । ଏଭଳି କହି ପୂର୍ବରୁ ସାଂସଦ ଥିବା ବୈଜୟନ୍ତଙ୍କ ରିପୋର୍ଟ କାର୍ଡ ଭୋଟରଙ୍କ ସାମ୍ନାରେ ରଖିଛନ୍ତି ଅନୁଭବ । ଯାହା ଆଗାମୀ ନିର୍ବାଚନରେ ବଡ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
କେବଳ ଅନୁଭବ ନୁହେଁ ଏହାପୂର୍ବରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରୋକ୍ଷରେ ସମାଲୋଚନାର ତୀର ମାରିଥିଲେ। ଅନୁଭବ ମହାନ୍ତିଙ୍କ ନାଁ ଘୋଷଣା କଲାବେଳେ ନବୀନ କହିଥିଲେ, ସେ କେବଳ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କାମ କରିବେ । ସେ ଦାଖଲ କରିବାକୁ ଥିବା ସତ୍ୟପାଠରେ ଲୁଚାଇବା ପାଇଁ କିଛି ନାହିଁ । ମାଇନିଂ କଂପାନୀରେ କାମ କରି ସାଲାରୀ ନେବା ଆଉ ତାକୁ ଲୁଚାଇବା ଭଳି କାମ ସେ କରିବେ ନାହିଁ ।
ବଡ କଥା ହେଉଛି, ନବୀନଙ୍କ ଏହି ତୀର ଥିଲା ବୈଜୟନ୍ତ ପଣ୍ଡାଙ୍କ ଆଡକୁ । ପୂର୍ବରୁ ବିଜୁ ଜନତା ଦଳ ତରଫରୁ ତଥ୍ୟ ମାଧ୍ୟମରେ ସାଂଘାତିକ ଅଭିଯୋଗ ଆଣି କୁହାଯାଇଥିଲା, ମାଇନିଂ କଂପାନୀରୁ ଦରମା ନେଇଥିଲେ ମଧ୍ୟ ଏହାକୁ ସତ୍ୟପାଠରେ ଦର୍ଶାଇନଥିଲେ ବୈଜୟନ୍ତ । ଯାହାକୁ ନେଇ ସେ ସମୟରେ ବେଶ ତମ୍ବିତିଫାନ ହୋଇଥିଲା ।
ନିର୍ବାଚନ ଲଢେଇ ଆରମ୍ଭ ହେବା ପୂର୍ବରୁ ନବୀନ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଏହା ଆଗାମୀ ଦିନରେ ଏକ ବଡ ଧରଣର ଲଢେଇ ପାଇଁ ସଂକେତ ଦେଉଛି । କାରଣ କେନ୍ଦ୍ରାପଡାରେ ପୂର୍ବରୁ ଜନତା ଦଳ ଆଉ ପରେ ବିଜୁ ଜନତା ଦଳ ଲଗାତର ଭାବେ ବିଜୟୀ ହୋଇ ଆସୁଛି । ଆଉ ଏବେ କେନ୍ଦ୍ରାପଡା ଆସନ ପାଇଁ ବୈଜୟନ୍ତଙ୍କ ବିରୁଦ୍ଧରେ ଦଳର ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି ।
Follow Us