ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା : କଟକ ଫ୍ୟାମିଲି କୋର୍ଟକୁ ହେଲା ସ୍ଥାନାନ୍ତର

ଅନୁଭବଙ୍କ ଓକିଲ କହିଲେ, ମାମଲା ସ୍ଥାନାନ୍ତର ପାଇଁ ଆମେ ବି କରିଥିଲୁ ଅନୁରୋଧ; ତ୍ୱରିତ ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ 

252

କନକ ବ୍ୟୁରୋ : ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହେଲା ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲା । ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ । ତେବେ ଆଜିର ଶୁଣାଣି ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ । ସେ କହିଛନ୍ତି ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରିନଥିଲେ । ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା । ଏପରିକି ଯଥାଶୀଘ୍ର ଶୁଣାଣି ଆରମ୍ଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ । ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱୀନି ଦୁବେ ।

ଏହି ବହୁ ଚର୍ଚ୍ଚିତ ଷ୍ଟାର କପଲଙ୍କ ଭିତରେ ପାରିବାରିକ ବିବାଦ ରହିଆସିଛି । ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଏହାପରେ ଭରଣ ପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟ ଯାଇଥିଲେ ବର୍ଷା । ପରେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲିକୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବର୍ଷା । ଆଜି ଏହି ମାମଲାର ଶୁଣାଣି କରି କଟକକୁ ମାମଲା ସ୍ଥାନାନ୍ତର କରିଛନ୍ତି ।